ଅପହଞ୍ଚ ଇଲାକାରେ ସରକାରୀ ଯୋଜନା ସାତ ସପନ

  • ସରକାରୀ ଯୋଜନାରୁ ବଞ୍ଚିତ ଗୋଟେ ପରିବାର ୩ ବିକଳାଙ୍ଗ ଆଦିବାସୀ ଯୁବକ
  • ଅପହଞ୍ଚ ଆବାସ ଯୋଜନା
  • ଭଙ୍ଗା ଦଦରା ଚାଲ କୁଡ଼ିଆରେ ବିତୁଛି ଜୀବନ, ପ୍ରଶାସନଙ୍କ ଆଖିରେ ଅନ୍ଧ ପୁଟୁଳି ବନ୍ଧା

ତୁରେକେଲା , (ପିତାମ୍ବର ଦୀପ) : ରାଜ୍ୟ ସରକାର ଗରୀବ ନିଷ୍ପେସିତ ଅସହାୟ ବିକଳାଙ୍ଗ ପରିବାର କିମ୍ବା ଗ୍ରାମାଞ୍ଚଳରେ ବାସ କରୁଥିବା ଆଦିବାସୀ ମାନଙ୍କ ପାଇଁ ଅନେକ ଗୁଡିଏ ଯୋଜନା ହାତକୁ ନେଇଛନ୍ତି । ଆଉ ଗରିବ ଲୋକଙ୍କ ସ୍ୱାର୍ଥ ସାଧନା ଲକ୍ଷରେ ମଧ୍ୟ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ କରୁଛନ୍ତି, ହେଲେ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଂଚଳମାନଙ୍କରେ ବସବାସ କରୁଥିବା ଗରିବ ହିତାଧିକାରୀଙ୍କୁ ମିଳୁନି ସରକାର ସହାୟତା । ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ହେଉ କି ପଶ୍ଚିମ ଓଡିଶା କେ.ବି.କେ. ବିକାଶ କଥା ହେଉ ସବୁ ଯୋଜନା ତେଲିଆ ମୁଣ୍ଡରେ ତେଲ ସଦୃଶ ମନେ ହେଉଛି । ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ମୌଳିକ ସୁବିଧା ପହଞ୍ଚାଇବାରେ ଫେଲ ମାରିଛି ପ୍ରଶାସନ । ବିକାଶର ଅନେକ ଦୂରରେ ଉପାନ୍ତ ଆଦିବାସୀ ଅସହାୟ ଗରିବ ପରିବାର । ସ୍ୱାଧୀନତାର ଅନେକ ବର୍ଷ ବିତି ଯାଇଥିଲେ ସୁଦ୍ଧା ସେମାନେ ବିକାଶର ସ୍ୱାଦ ଚାଖି ନାହାନ୍ତି । ବିକାଶ ସତେ ଯେପରି ତାଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । ସରକାରଙ୍କ ଯୋଜନା ସତେ ଯେପରି ଗରିବଙ୍କ ସମସ୍ୟାକୁ ସ୍ପର୍ଶ କରିବାରେ ହୁଏତ ବିଫଳ ହେଉଛି । ବିକାଶ କ’ଣ ସେମାନେ ଦେଖି ନାହାନ୍ତି କି ଜାଣି ନାହାନ୍ତି । ସେଭଳି ଦେଖିବାକୁ ମିଳିଛି ତୁରେକେଲା ବ୍ଲକ ବଡବାଙ୍କୀ ପଂଚାୟତ ମୁରିବାହଲ ଗ୍ରାମରେ । ସୂଚନା ଅନୁସାରେ ଗୋଟିଏ ପରିବାରର ୩ ଭାଇ ସମସ୍ତେ ବିକଳାଙ୍ଗ । ସେମାନେ ହେଲେ ଯୁଗମନ ମାଝୀ, ଭଗବାନ ମାଝୀ ଓ ଡମ୍ବରୁ ମାଝୀ । ବାପା ପୂର୍ଣ୍ଣ ମାଝୀଙ୍କ ଦେହାନ୍ତ ପରେ ତାଙ୍କ ମାଁ ପ୍ରେମଶିଳା ମାଝୀ ଏକୁଟିଆ ହୋଇ ଯାଇଥିଲେ । ଅସହାୟ ହୋଇପଡି ଥିଲେ, ତଥାପି ୩ ଛୁଆର ତୁଣ୍ଡରେ ଦାନା ଦେବାକୁ ଆଉ କିଏବା ସାହାଯ୍ୟ କରିବ ଏହା ଭାବି ସେ ହାଇଦ୍ରାବାଦ ଇଟା ତିଆରି କରିବା ପାଇଁ ତିନି ଛୁଆକୁ ଧରି ଅନ୍ୟ ସହ ଦାଦନ ହୋଇ ମଧ୍ୟ ଯାଇଥିଲେ ଓ ୩ ପୁଅକୁ ଅନ୍ୟଘରେ ମୂଳ ଲାଗି ପୋଷିପାଳି ବଡ କରି ଥିଲେ ଓ ଆସାଥିଲା ଯେ, ବୃଦ୍ଧା ବୟସରେ ଅନ୍ଧର ଲଉଡ଼ି ହୋଇ ଠିଆ ହେବେ ୩ ପୁଅ । ହେଲେ ଦଇବ ସହିଲା ନାହିଁ । ତିନିକି ୩ ଭାଇ ବିକଳାଙ୍ଗ ହୋଇ ଗଲେ/ତେବେ ତାଙ୍କ ତିନିଟି ପିଲା ହିଁ ବିକଳାଙ୍ଗ ହୋଇ ଗଲେ । ଏବେ ବୃଦ୍ଧା ମାଁଙ୍କ ମଧ୍ୟ ଗୋଡ ଭାଙ୍ଗି ଯାଇଛି । ଘରୁ କିଛି କାମ ପାଇଁ ବାହାରକୁ ବାହାରି ପାରୁନାହାନ୍ତି । ସେପଟେ ଏହି ୩ ଭାଇଙ୍କର ଆଉ ଦେଖାରେଖା ପାଇଁ କିଏ ନାହାନ୍ତି । ଅତି ଦୟନୀୟ ଭାବରେ ପରିବାର ଚଲୁଛି । ତାଙ୍କ ଘର ଖଣ୍ଡିକ ମଧ୍ୟ ନାହିଁ ଚାଲ ଘରେ ଜୀବନ ବିତୁଛି, ଅନେକଥର ବ୍ଲକ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ପାଇ ପାରୁନାହାନ୍ତି । ତୁରେକେଲା ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଆସି ୩ ଭାଇକୁ ବିକଳାଙ୍ଗ ପ୍ରମାଣ ପତ୍ର ମଧ୍ୟ ମିଳିଛି । କିନ୍ତୁ ଏନେକଥର ଆବେଦନ କିମ୍ବା ଲିଖିତ ଅଭିଯୋଗ କଲେ ସୁଧା ପ୍ରଶାସନର କୌଣସି ନିଘା ନାହିଁ । ଗତ ପଂଚୟତ ନିର୍ବାଚନରେ ମୁରିବାହଲ ଗାଁର ସରପଞ୍ଚ କୁଶଧର ମାଝୀ ମଧ୍ୟ ସେମାନଙ୍କ ସମସ୍ୟା ଉଠାଇଥିଲେ ସୁଦ୍ଧା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଶ୍ରୀ ମାଝୀ କହିଛନ୍ତି । ୩ ଭାଇ ସମସ୍ତେ ବିକଳାଙ୍ଗ ହେତୁ ସେମାନେ କିଛି କାର୍ଯ୍ୟ କରି ପାରୁନାହାନ୍ତି ଓ କୁଆଡେ ଯାଇ ମଧ୍ୟ ପାରୁନାହାନ୍ତି । ପଡୋଶୀ ସମ୍ପର୍କୀୟ କିମ୍ବା ଲୋକେ ଯାହା ଦେଲେ ତାହା ଖାଇ ବଞ୍ଚୁ ଛନ୍ତି । ଏମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ହୋଇଯାଇଛି । ପରିବର୍ତ୍ତନ ହୋଇଥିବା ସରକାର ମଧ୍ୟ ଆଦିବାସୀ ସମ୍ପ୍ରଦାୟରର ଜଣେ ମୁଖ୍ୟମନ୍ତ୍ରୀ ତେବେ ଆଦିବାସୀ ନୀତି କିମ୍ବା ତାଙ୍କ ମୌଳିକ ଅଧିକାର ପାଇଁ କୌଣସି ବ୍ୟବସ୍ଥା ହୋଇଥିବା ଚିତ୍ର ସାମ୍ନାକୁ ଆସିଛି । ତେବେ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ସେମାଙ୍କୁ ମୌଳିକ ସୁବିଧା ଯୋଗାଇ ସେମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦାବୀ ହେଉଛି । ଏନେଇ ତୁରେକେଲା ବିଡ଼ିଓ ସଂକର୍ଷଣ ବେହେରାଙ୍କୁ ଯୋଗାଯୋଗ କଲା ପରେ ତଦନ୍ତ କରି ତାଙ୍କ ପରିବାରକୁ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.