ଖୁବ୍‌ ଶୀଘ୍ର ଘଟଣାର ପର୍ଦ୍ଦାଫାସ କରିବ ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତେବେ କ’ଣ ବଲାଙ୍ଗିରରେ ବି ଅନର୍‌ କିଲିଂ ? ଆଜି ସକାଳେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଘାଟିରେ ହଳେ ଯୁବକ ଯୁବତୀଙ୍କ ମୃତଦେହର ସନ୍ଧାନ ମିଳିବା ପରେ ସାରା ବଲାଙ୍ଗିର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି । ଅର୍ଦ୍ଧନଗ୍ନ ଅବସ୍ଥାରେ ଯୁବକଙ୍କ ତଣ୍ଟିକଟା ମୃତଦେହ ପଡ଼ିଥିବା ବେଳେ ସେଇ ପାଖରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ । ଘଟଣା ସ୍ଥଳରେ ଖୋଦ୍‌ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ଉପସ୍ଥିତ ରହି ତନାଘନା ତଦନ୍ତ ଚଳାଇଥିଲେ । କିଏ ମାରିଲା, କେମିତି ପରିସ୍ଥିତିରେ ଯୁବକ ଯୁବତୀଙ୍କୁ ହତ୍ୟା କରାଗଲା, ଏହି ଘଟଣା ପଛରେ ପ୍ରେମ ସଂପର୍କ ରହିଛି, କି ନା’ ଆଉ କୌଣସି କାରଣରୁ ହତ୍ୟା କରାଯାଇଛି ଯୁବକ ଯୁବତୀଙ୍କୁ । ଏସବୁ ଦିଗକୁ ଲକ୍ଷ୍ୟ ରଖି ଛାନ୍‌ଭିନ୍‌ କରୁଛି ବଲାଙ୍ଗିର ପୋଲିସ । ଘଟଣା ସ୍ଥଳରେ ଡଗ୍‌ସ୍କ୍ୱାର୍ଡ ସହ ସାଇଟିଫିକ୍‌ ଟିମ୍‌ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ନଜର୍‌ ରଖି ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଥିବା କୁହାଯାଇଛି । ଏସ୍‌ପି ଶ୍ରୀ ଖିଲାରୀଙ୍କ ସହ ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ ଏବଂ ପୋଲିସ୍‌ ଟିମ୍‌ ପହଞ୍ଚି ତନ୍ନ ତନ୍ନ କରି ଛାନ୍‌ଭିନ୍‌ କରିଛନ୍ତି । ଘଟଣାର ମୂଳ କେଉଁଠି, ଜୋର୍‌ସୋର୍‌ ଖୋଜା ଚାଲିଛି । ଏହି ଘଟଣା ସାରା ବଲାଙ୍ଗିର ଜିଲ୍ଲାରେ ଚହଳ ସୃଷ୍ଟି କରିଥିବା ବେଳେ ହତ୍ୟାକାଣ୍ଡର କାରଣ କ’ଣ ହୋଇପାରେ, ସେ ଦିଗରେ ପୋଲିସ ତନାଘନା ଛାନ୍‌ଭିନ୍‌ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ତେବେ ଖୁବ୍‌ ଶୀଘ୍ର ଘଟଣାର ଅସଲ୍‌ କାରଣ ଜଣା ଜଣାପଡ଼ିବ ଏବଂ ଅଭିଯୁକ୍ତମାନେ ଗିରଫ ହେବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.