ପୁସ୍ତକ ନାସ୍ତିକ ବିଶ୍ୱର ଲୋକାର୍ପଣ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବୈଜ୍ଞାନିକ ମନୋଭାବ ବିକାଶ ନିମିତ୍ତ ଦାତବ୍ୟ ଟ୍ରଷ୍ଟ ଆନୁକୂଲ୍ୟରେ ସମାଜସେବୀ ଡଃ. ଶଶିକାନ୍ତ ଆଚାର୍ଯ୍ୟ ଓ ଗଗନବିହାରୀ ଧଳଙ୍କ ଦ୍ୱାରା ଅନୁଦିତ ପୁସ୍ତକ ‘ନାସ୍ତିକ ବିଶ୍ୱ’ର ଲୋକାର୍ପଣ ଓ ପ୍ରଗତିଶୀଳ କବିତା ପାଠୋତ୍ସବ କଲଚରାଲ ଏକାଡେମୀ ସ୍ଥିତ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । କବି ବଳରାମ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ରାଉରକେଲାର ବିଶିଷ୍ଟ ପ୍ରଗତିବାଦୀ କବି, ଅଭିନେତା ତଥା ସୁନ୍ଦରଗଡ ଜିଲ୍ଲା ଏସ୍.ୟୁ.ସି ଆଇ କମିଟି ସଦସ୍ୟ ସ୍ୱର୍ଗତ କମ୍ରେଡ୍ ବିଶ୍ୱନାଥ ବଳଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାପତି ଶ୍ରୀ ରାଉଳ ତାଙ୍କର ବ୍ୟକ୍ତିତ୍ଵ ଓ କୃତି ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ରାଉରକେଲା ସହରରେ ବିଶେଷ ଭାବେ ଆଦୃତ କବି ତଥା ନାଟ୍ୟକାର ଆର୍ତ୍ତତ୍ରାଣ ମହାପାତ୍ର ବୈଜ୍ଞାନିକ ମନୋଭାବର ବିକାଶ ପ୍ରତି ସମର୍ପିତ, ସୁସ୍ଥ ସମାଜ ଗଠନ ପ୍ରୟାସୀ ଡଃ. ଶଶିକାନ୍ତ ଆଚାର୍ଯ୍ୟଙ୍କ ଉଚ୍ଚାଙ୍ଗ ବ୍ୟକ୍ତିତ୍ଵ, ସାଧନା ଓ ସୃଷ୍ଟି ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ରାଉରକେଲା ଏନ୍‌ଆଇଟିର ପ୍ରଫେସର ଡ. ଅଜିତ କୁମାର ବେହେରାଙ୍କ କରକମଳରେ ପୁସ୍ତକର ଲୋକାର୍ପଣ କରାଯାଇଥିଲା । ପୁସ୍ତକ ସମ୍ପର୍କରେ ଉଭୟ ଅନୁବାଦକ ସମାଜସେବୀ ଡଃ. ଶଶିକାନ୍ତ ଆଚାର୍ଯ୍ୟ ଓ ଗଗନବିହାରୀ ଧଳ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ଏକ ସୁସ୍ଥ ଓ ପ୍ରଗତି ସମ୍ପୂର୍ଣ୍ଣ ବିଶ୍ଵ ଗଠନରେ ଏହା କିପରି ସହାୟକ ହୋଇପାରିବ ସେ ସମ୍ପର୍କରେ ନିଜର ବଳିଷ୍ଠ ମତ ଉପସ୍ଥାପନ କରିଥିଲେ । ପୁସ୍ତକଟିର ଆଲୋଚକ ଭାବେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ବିଶଦ ବ୍ୟାଖ୍ୟା କରିବା ସଙ୍ଗେ ସଙ୍ଗେ ପ୍ରଚଳିତ ସମାଜ ବ୍ୟବସ୍ଥା, ସାମାଜିକ ଅବକ୍ଷୟ ଓ ବିକାଶରେ ବିଜ୍ଞାନର ଅବଦାନ ତଥା ପରବର୍ତ୍ତୀ ଭୂମିକା ନିର୍ବାହରେ ପୁସ୍ତକଟିର ବିଶେଷତ୍ଵ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଅର୍ଜୁନ ଚରଣ ସାମନ୍ତରାୟ ରସାତ୍ମକ ଭାବେ ବିଜ୍ଞାନର ଉପାଦେୟତା , ବିଭିନ୍ନ ଧର୍ମ ଓ ସଂସ୍କୃତିରେ ଥିବା ଦୋଷ ତ୍ରୁଟି ଆଦିକୁ ସୁଚିତ କରିଥିଲେ । ସଭାର ଦ୍ଵିତୀୟ ସୋପାନରେ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଂଯୋଜନାରେ କବି ଡଃ. କୃପାସିନ୍ଧୁ ନାୟକ, କାଶୀନାଥ ପାତ୍ର, ପ୍ରତାପ କୁମାର ପଣ୍ଡା, ବଳରାମ ରାଉଳ ଆଦି କବିତା ପାଠ କରିଥିଲେ । ସଭାରେ ଭୂପେନ ମହାପାତ୍ର, କେଦାର ନାଥ ପ୍ରଧାନ, ଅକ୍ଷୟ କୁମାର ସାମଲ, କାଶୀନାଥ ନନ୍ଦୀ, ନଗେନ ଦାସ୍, ତ୍ରିଲୋଚନ ସ୍ୱାଇଁ, ବିଜୟିନୀ ଜେନା, ରାଜକୁମାର ମହାନ୍ତି, ପ୍ରବୀର ଦୁବେ, ଧୋବେଇ ବେହେରା, ବ୍ରହ୍ମାନନ୍ଦ ପାଢ଼ୀ, କୁଞ୍ଜବିହାରୀ ରାଉତ, ପ୍ରହଲ୍ଲାଦ ଦାସ, ସ୍ନେହଲତା ପଟ୍ଟନାୟକ, ସସ୍ମିତା ପ୍ରଧାନ, ଆଶ୍ରମର ସମସ୍ତ ଅନ୍ତେବାସୀ ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ । ପରିଶେଷରେ ଟ୍ରଷ୍ଟର ସଦସ୍ୟା ହେମନ୍ତା ତାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.