ଅକ୍ଟୋବର ୧୫, ୨୦୨୪ରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ୩ଟି ଏଆଇ – ଉତ୍କର୍ଷ କେନ୍ଦ୍ର ଘୋଷଣା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୧୫, ୨୦୨୪ରେ ନୂଆଦିଲ୍ଲୀ ଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ୩ଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ଘୋଷଣା କରିବେ । ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ୩ଟି ଉତ୍କର୍ଷ କେନ୍ଦ୍ରକୁ ଶୀର୍ଷ ଶିକ୍ଷାନୁଷ୍ଠାନ, ଶିଳ୍ପ ଅଂଶୀଦାର ଏବଂ ଷ୍ଟାର୍ଟଅପମାନେ ନେତୃତ୍ୱ ପ୍ରଦାନ କରିବେ । ସେମାନେ ଆନ୍ତଃବିଭାଗୀୟ ଗବେଷଣା କରିବେ, ଅତ୍ୟାଧୁନିକ ଆପ୍ଲିକେସନ୍ ବିକଶିତ କରିବେ ଏବଂ ଏହି ୩ଟି କ୍ଷେତ୍ରରେ ଅଧିକ ସମାଧାନ ସୃଷ୍ଟି କରିବେ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ପ୍ରଭାବଶାଳୀ ଏଆଇ ଇକୋସିଷ୍ଟମକୁ ବିକଶିତ କରିବା ଏବଂ ଏହିସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୁଣାତ୍ମକ ମାନବ ସମ୍ବଳକୁ ପ୍ରସ୍ତୁତ କରିବା । ୨୦୨୩ – ୨୪ ବଜେଟ୍ ଘୋଷଣାର ପାରା ୬୦ ଅଧୀନରେ “ଭାରତରେ ଏଆଇ ତିଆରି କରିବା ଏବଂ ଭାରତ ପାଇଁ ଏଆଇ କାର୍ଯ୍ୟ କରିବା” ଲକ୍ଷ୍ୟର ଏକ ଅଂଶ ଭାବରେ ଏହି କେନ୍ଦ୍ର ଗୁଡ଼ିକ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ୨୦୨୩ – ୨୪ ଆର୍ଥିକ ବର୍ଷରୁ ୨୦୨୭ – ୨୦୨୮ ଆର୍ଥିକ ବର୍ଷ ମଧ୍ୟରେ ମୋଟ ୯୯୦.୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ ସହିତ ୩ଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ଗଠନକୁ ମଞ୍ଜୁରୀ ଦେଇଛନ୍ତି । ଏହି ପଦକ୍ଷେପର କାର୍ଯ୍ୟକାରିତା ତଦାରଖ କରିବା ପାଇଁ ଜୋହୋ କର୍ପୋରେସନର ପ୍ରତିଷ୍ଠାତା ତଥା ସିଇଓ ଡଃ. ଶ୍ରୀଧର ଭେମ୍ବୁଙ୍କ ଅଧ୍ୟକ୍ଷତାରେ ଏକ ଶୀର୍ଷ କମିଟି ଗଠନ କରାଯାଇଛି । ଏହି ଅବସରରେ ସଚିବ କେ.ସଞ୍ଜୟ ମୂର୍ତ୍ତିଙ୍କ ସମେତ ଆଇଆଇଟିର ନିର୍ଦ୍ଦେଶକ, ଉଚ୍ଚ ଶିକ୍ଷାନୁଷ୍ଠାନର ମୁଖ୍ୟ (ଏଚ୍ଇଆଇ), ଶିଳ୍ପନେତା, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

Leave A Reply

Your email address will not be published.