ଗଞ୍ଜାମ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ଦିବସ ଛତ୍ରପୁର ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ପୋଲିସ୍ ପ୍ୟାରେଡ଼ ପଡ଼ିଆ ସ୍ଥିତ ଗାନ୍ଧୀ ମଣ୍ଡପ ଠାରେ ଜାତିୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ଦିବସ ଏବଂ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ଦିବସ ଗଞ୍ଜାମ ଜିଲ୍ଲାସ୍ତରୀୟ ଭାବେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଯୋଗଦେଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶାନ୍ତି ଦୂତ ଲାଲ ବାହାଦୂର ଶାସ୍ତ୍ରୀଜୀ ପ୍ରତିକୃତିରେ ମଧ୍ୟ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ଜିଲ୍ଲାପାଳ ଶ୍ରୀ ପରିଡ଼ା, ବିଧାୟକ ଶ୍ରୀ ନାୟକ, ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥିଙ୍କ ମିଳିତ କର କମଳରେ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ର ଅଧ୍ୟାପକ ଡ଼ଃ. ଭି ରାଜେନ୍ଦ୍ର ରାଜୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ଆଦର୍ଶ ଜୀବନ ଓ ଶାସ୍ତ୍ରୀଜୀଙ୍କ ସମାଜ ସଂସ୍କାରକ ଭାବେ ଦେଇଥିବା ମହନୀୟ ଅବଦାନ ଯୁବପୀଢ଼ିମାନେ ଉଦବୃଦ୍ଧ ଓ ଅନୁପ୍ରାଣୀତ ହେବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ବୁଝାଇଥିଲେ । ସମ୍ମାନିତ ଅତିଥି ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବ୍ରହ୍ମପୁର ସାଂସଦ ଡ଼ଃ.ପ୍ରଦୀପ କୁମାର ପାଣିଗ୍ରାହୀ, ଓଡ଼ିଶା ବିଧାନସଭାର ପ୍ରାକ୍ତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଉପସ୍ଥିତ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ତେବେ ପ୍ରାରମ୍ଭରେ ପ୍ରାତଃ ୫ ଘଣ୍ଟିକା ସମୟରେ ଭ୍ରାମ୍ୟମାଣ ଡାକବାଜି ଯନ୍ତ୍ର ଯୋଗେ ସହର ପରିକ୍ରମା କରାଯାଇଥିଲା । ସକାଳ ୭ଘଣ୍ଟା ସମୟରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପ୍ରଭାତ ଫେରି ସାରି ଗାନ୍ଧୀ ମଣ୍ଡପ ନିକଟରେ ସମବେତ ହୋଇଥିଲେ । ପ୍ରାରମ୍ଭରେ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଛତ୍ରପୁର କଳା ବିକାଶ କେନ୍ଦ୍ର ଆନୁକୁଲ୍ୟରେ ଗୁରୁ ଗଣେଶ ପଟ୍ଟନାୟକଙ୍କ ନେତୃତ୍ୱରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ, ରଘୁପତି ରାଘବ ରାଜାରାମ, ଗାନ୍ଧୀଜୀଙ୍କ ଅତିପ୍ରିୟ ଭଜନ ଆଦି ପରିବେଷିତ ହୋଇ ସ୍ଥାନଟି ଦେଶ ପ୍ରେମରେ ଉଦବୃଦ୍ଧ କରିଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!