ରାସ୍ତା ସମସ୍ୟା ଯୋଗୁଁ ଖଟିଆରେ ବୁହାହେଲେ ୫ରୁ ଅଧିକ ରୋଗୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ୟ୍ୟନ୍ତ ଅନେକ ଅଞ୍ଚଳରେ ପହଞ୍ଚି ପାରିନଥିବା ବେଳେ ଅନେକ ସମୟରେ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି ପ୍ରକାରର ବିଭିନ୍ନ ସମସ୍ୟା ଦେଖିବାକୁମିଳି ଥାଏ । ଯାହାକି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ମାଓ ପ୍ରବଣ ଅଞ୍ଚଳ ଭାବେ ପରଚିତ ଦୁର୍ଗାପଙ୍ଗା ପଂଚାୟତରେ ଏପରି ସମସ୍ୟା ଦେଖିବାକୁ ମିଳିଛି । ଉକ୍ତ ପଞ୍ଚାୟତ ଅନ୍ତର୍ଗତ କାଣିବାରୁ ଓ ସିନ୍ଧିବାଲି ଆଦି ଗ୍ରାମରେ ଅଖାଦ୍ୟ ଖାଇ ପ୍ରାୟ ୧୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ କୋଟଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ଖବର ମିଳିଛି । ତେବେ ୨ ଦିନ ମଧ୍ୟରେ ୩ ଜଣଙ୍କର ମୃତ ହୋଇଥିବା ସେମାନେ ହେଲେ ଧୁଣା ଜାନୀ (୬୦), କୁଡ଼ୁକୁଙ୍ଗା ଆଲୁମାଝୀ (୬୦) ଏବଂ ଟାପାରି ମାଝୀ (୩୨) ବୋଲି ଜଣାଯାଇଛି । ତେବେ କାଣିବାରୁ ଓ ସିନ୍ଧିବାଲି ଗ୍ରାମକୁ ଯାତାୟତ ପାଇଁ ରାସ୍ତାନଥିବା ଯୋଗୁଁଁ ରୋଗୀମାନଙ୍କୁ ଡ଼ାକ୍ତରଖାନା ଆଣିବାରେ ସମସ୍ୟା ଉପୁଜିଥିବାର ଦେଖାଯାଇଛି । ରିପୋର୍ଟ ଲେଖାହେବା ସୁଦ୍ଧା ୨ ଦିନ ମଧ୍ୟରେ ଉକ୍ତ ଗ୍ରାମମାନଙ୍କର ପ୍ରାୟ ୨୦ ଜଣଙ୍କର ବିଭିନ୍ନ ପ୍ରକାର ଚିକିତ୍ସା କରାଯାଇଥିବା ବେଳେ ବର୍ତ୍ତମାନ କୋଟଗଡ ଡ଼ାକ୍ତରଖାନାରେ ୮ ଜଣ ଓ ଗ୍ରାମରେ ଅନ୍ୟମାନେ ଚିକିତ୍ସିତ ହେଉଥିବାର ଜଣାପଡିଛି । ରାସ୍ତାନଥିବା ଯୋଗୁଁଁ ନିଜେ ମୋବାଇଲ୍ ହେଲଥ ୟୁନିଟର ଡ଼ାକ୍ତର ଡ଼ଃ. ଅଶୋକ କୁମାର ସାମଲ ଗ୍ରାମବାସୀମାନଙ୍କ ସହ ରୋଗୀମାନଙ୍କୁ ପ୍ରାୟ ୫ କିଲୋମିଟର ଦୂର ପର୍ୟ୍ୟନ୍ତ ଖଟିଆରେ ବୋହି ଆଣିବା ପରେ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ କୋଟଗଡ ଡ଼ାକ୍ତରଖାନାକୁ ପଠାଇଥିବାର ଜଣାପଡିଛି । ପ୍ରକାଶ ଯେ, ଦୁର୍ଗାପଙ୍ଗାରେ ଥିବା ଡ଼ାକ୍ତର ଜର୍ଜ ଦୀପକ ଦୁର୍ଗାଦତ୍ତଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିବା କିଛି ରୋଗୀ କାଣିବାରୁ ଓ ସିନ୍ଧିବାଲିରେ କେତେକ ଲୋକ ଜ୍ୱର, ଝାଡ଼ାବାନ୍ତି ଏବଂ ପେଟବଥାରେ ଆକ୍ରାନ୍ତ ଥିବାର ଖବର ଦେବା ପରେ ତୁରନ୍ତ ଡ଼ାକ୍ତରୀ ଦଳ ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରାଯାଇଥିଲା । ତେବେ ଉକ୍ତ ଗ୍ରାମକୁ ଯାତାୟତ ପାଇଁ ରାସ୍ତା ନ ଥିବା ଯୋଗୁଁଁ ଆମ୍ବୁଲାନ୍ସ ଡ଼ିମିଲି ପର୍ୟ୍ୟନ୍ତ ଯାଇପାରିଥିଲା । ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମରେ ଗତ ୩ ଦିନ ତଳେ ଏକ ଭୋଜି ହୋଇଥିଲା । ଭୋଜିରେ ଖାଇବା ପରେ ଅନେକ ଲୋକ ଏଭଳି ଭାବେ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି । କୋଟଗଡ଼଼ରେ ଏକ ସ୍ୱତନ୍ତ୍ର ଟିମ୍ ଆକ୍ରାନ୍ତ ମାନଙ୍କର ଚିକିତ୍ସା ଚଳାଇଥିବାର ଜଣାପଡିଛି । ଏକାଧିକ ଗୁରୁତରମାନଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ମଧ୍ୟ ଚିକିତ୍ସା ପାଇଁ ପଠାଯାଇଥିବାର ଜଣାଯାଇଛି ।

Leave A Reply

Your email address will not be published.