ତୁଷୁରା କ୍ଲଷ୍ଟର୍‌ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷରା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ୨୮ ସେପ୍ଟେମ୍ବର ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଉଦ୍‌ଘାଟନୀ ସଭାରେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ବିପିନ ବାଗ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତ ଚରଣ ଦାଶଙ୍କ ଅଧ୍ୟକ୍ଷତା କରିଥିବା ବେଳେ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ । ସିଆର୍‌ସିସି ଜଗମୋହନ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶିଶୁମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଗଣିତ ଦୌଡ, ଗଣିତ କୁଇଜ୍, ଗଳ୍ପ କଥନ, ପ୍ରବନ୍ଧ, ବିତର୍କ, ବକ୍ତୃତା, ସୃଜନଶୀଳ ଲିଖନ, ସଂଗୀତ, ପି.ଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା ଏବଂ ଦଳଗତ ସାଂସ୍କୃତିକ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ତୁଷୁରା କ୍ଲଷ୍ଟର ତରଫରୁ ବିଦାୟୀ ପ୍ରଧାନ ଶିକ୍ଷକ ଆର୍ତ୍ତତ୍ରାଣ ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନଅଗାଁ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବେଣୁଧର ପୂଜାହାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅପରାହ୍ନରେ ଭକ୍ତଚରଣ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତୁଷୁରା ଏନ୍.ଏ.ସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟର ସଭାପତି ପ୍ରିୟବ୍ରତ ଛତ୍ରିଆ, ବିଶିଷ୍ଟ ଯୁବ ସମାଜସେବୀ ଗଗନ କେଡିଆ ଓ ଗୌରବ କେଡିଆ ଯୋଗ ଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଭାବେ ସୁଧାକର ପ୍ରଧାନ, ପ୍ରମୋଦ କୁମାର ସା, ଲିପୁନ୍ ସାହୁ ଓ ବାଳକୃଷ୍ଣ ମହାପାତ୍ର ଯୋଗ ଦେଇଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ । ତୁଷୁରା କ୍ଲଷ୍ଟର୍‌ରୁ ସର୍ବକନିଷ୍ଠ, କନିଷ୍ଠ, ବରିଷ୍ଠ ଓ ବରିଷ ଉଚ୍ଚ ମାଧ୍ୟମିକ ଦଳରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ମୋଟ୍‌ ୨୧ ଜଣ କୃତୀ ପ୍ରତିଯୋଗୀ ଆଗାମୀ ଅକ୍ଟୋବର ୨ ତାରିଖରେ ହେବାକୁ ଥିବା ବ୍ଲକ୍ ସ୍ତରରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଶେଷରେ ସିଆର୍‌ସିସି ଜଗମୋହନ ତ୍ରିପାଠୀ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.