ଦାଦନ ଶ୍ରମିକ ଚାଲାଣ ବେଳେ ପୁଲିସର ଚଢ଼ାଉ : ୭ ଜଣ ଦାଦନ ଶ୍ରମିକ ଉଦ୍ଧାର

  • ସର୍ଦ୍ଦାର, ସହଯୋଗୀ ଓ ଡ୍ରାଇଭର୍‌ ଗିରଫ

ଦେଓଗାଁ, (ମନୀଷ କୁମାର ସାହୁ) : ଭିଟା ମାଟିରେ କାମ ମିଳୁନି । ଯେଉଁ କାମ ମିଳୁଛି, ସେଥିରେ ପାରିଶ୍ରମିକ ମିଳୁନି । ତେଣୁ ପେଟ ଚାଖଣ୍ଡକ ପାଇଁ ସର୍ଦ୍ଦାରର କଥା ମାନି ବାଧ୍ୟ ହୋଇ ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ବେଳେ ଧରାପଡ଼ିଲେ ଶ୍ରମିକ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ । ବେଆଇନ ଶ୍ରମିକ ଚାଲାଣ ବେଳେ ଆଜି ୭ ଜଣଙ୍କୁ ପୁଲିସ୍‌ ଉଦ୍ଧାର କରିଛି । ଏଥିରେ ସମ୍ପୃକ୍ତ ଥିବା ୨ ଜଣ ଦାଦନ ସର୍ଦ୍ଦାର ହିମାଂଶୁ ଷାଣ୍ଢ ଓ ସହଯୋଗୀ ଏକାଦଶୀ ମଲ୍ଲିକ ଗିରଫ ହୋଇଛନ୍ତି । ଉଦ୍ଧାର ଶ୍ରମିକମାନେ ଦେଓଗାଁ ଥାନା ଅନ୍ତର୍ଗତ ଡୁମେରପିଟା ଗାଁର ୩ ଜଣ ଓ ଝରେଇବାହାଲି ଗାଁର ୪ ଜଣ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଝରେଇବାହାଳି ଗାଁରୁ ୭ ଜଣଙ୍କୁ ଗାଁର ଏକ ବୋଲେରୋ ଗାଡ଼ିରେ ହାଇଦ୍ରାବାଦ ଚାଲାଣ କରାଯାଉଥିବା ବେଳେ ବଲାଙ୍ଗିର ଏସ୍‌. ପି ଏବଂ ଏସ୍‌ଡିପିଓଙ୍କ ନିର୍ଦ୍ଦେଶରେ ଦେଓଗାଁ ପୁଲିସ ପକ୍ଷରୁ ଚଢାଉ କରି ୭ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ସର୍ଦ୍ଦାର ଓ ବୋଲେରୋ ଗାଡ଼ି ଚାଲକଙ୍କୁ ଗିରଫ କରିଛି । ଉଦ୍ଧାର ଥିବା ୭ ଜଣ ହେଲେ ଡମ୍ବେରପିଟା ଗାଁର ମନିଶା କୁଅଁର(୩୦)ଙ୍କ ସହ ତାଙ୍କ ସ୍ଵାମୀ ସତ୍ୟବାନ କୁଅଁର(୩୫) ଓ ଜଣେ ଶିଶୁ । ସେହିପରି ଝରିଆବାହାଲି ଗାଁର ଇନ୍ଦ୍ର ଦଳପ୍ରିତ, ଜମ ଦଳପ୍ରିତ, କରୁଣ ଦଳପିତ (୧୭), ରୁପେଲି ଦଳପ୍ରିତ (୧୬)ଙ୍କୁ ଉଦ୍ଧାର କରି ରଖିଥିବା ଦେଓଗାଁ ପୁଲିସ ସୂତ୍ରରୁ ଜଣାପଡ଼ିଛି । ଏହାସହ ସର୍ଦ୍ଦାର ହିମାଂଶୁ ଷାଣ୍ଢ (୩୨) ଓ ସହଯୋଗୀ ଏକାଦଶୀ ମଲ୍ଲିକ (୩୮) ସହ ବୋଲେରୋ ଚାଳକ ଅଶୋକ ପ୍ରଧାନ(୫୭)ଙ୍କୁ ଅଧିକ ତଥ୍ୟ ପଚରାଉଚରା କରିବା ପାଇଁ ଅଟକ ରଖିଥିବା ବେଳେ ଦାଦନ ଚାଲାଣରେ ବ୍ୟବହୃତ ବୋଲେରୋକୁ ଜବତ କରିଛି ଦେଓଗାଁ ପୁଲିସ ।

Leave A Reply

Your email address will not be published.