ବ୍ଲକସ୍ତରୀୟ ମନରେଗା ଜନଶୁଣାଣି ଶିବିରରେ ଗର୍ଜିଲେ ଲୋକ ପ୍ରତିନିଧି : ବିନା ଶ୍ରମିକରେ ହେଲା ଜନଶୁଣାଣି

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ମନରେଗା ଯୋଜନାର ସମୀକ୍ଷା ବୈଠକ ତରବରିଆ ଭାବରେ ପ୍ରଶାସନ ଅଧାରୁ ଶେଷ ହୋଇଥିଲା । ଯାହା ଫଳରେ କିଛି ଗାଁସାଥିମାନେ ତାଙ୍କ ଅଭିଯୋଗ ଆପତ୍ତି ବୈଠକରେ ଅଭିଯୋଗ ଉଠାଇପାରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ବୈଠକରେ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ ବ୍ଲକ ପ୍ରଶାସନକୁ ଆରମ୍ଭରୁ ଆଟେକ କରିଥିଲେ । ସଇଁତଲା ବ୍ଲକରେ ମନରେଗା ଯୋଜନା ଫେଲ୍‌ ମାରିଛି । କୌଣସି କାର୍ଯ୍ୟ ଠିକ୍‌ ଭାବରେ ହୋଇପାରୁନାହଁ । ମୋର ସରପଞ୍ଚ କାଳ ସମୟରେ ବାରମ୍ବାର ବିଡ଼ିଓ ଓ ଏପିଓଙ୍କୁ ବରଗାଁ ଛକରୁ ଡ଼ଙ୍ଗରମୁଣ୍ଡା, କୁଆଁର ଗାଁରୁ ଫଲସାପଡା ଓ ଡୁଙ୍ଗୁରିପାଲିରୁ କୁଶମାଲ ରାସ୍ତା ନିର୍ମାଣ ପାଇଁ ଲିଖିତ ଭାବରେ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶାସନ ଖାମଖିଆଲି ଓ ଅପାରଗତା ଯୋଗୁଁ ତାହା ଆଜି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ହୋଇ ପାରିଲା ନାହିଁ । ଯଦି ଲୋକ ପ୍ରତିନିଧିମାନଙ୍କ କାର୍ଯ୍ୟ ହୋଇ ପାରୁନଥିବା ବେଳେ ସାଧାରଣ ଜନତାଙ୍କ କାର୍ଯ୍ୟ କଦାପି ହେବନାହିଁ । ଯାହାର ପାଖରେ ଟଙ୍କା ଥିବ ଓ ବଡ଼ବଡିଆ ଲୋକ ହୋଇଥିବ ତାର କାର୍ଯ୍ୟ ହେବ ବୋଲି ସିଧାସଳଖ ପ୍ରଶାସନଙ୍କୁ ଟାର୍ଗେଟ କରି କହିଥିଲେ । ଏପରିକି ଗାଁ ସାଥିମାନଙ୍କ ମଧ୍ୟ ପାଉଣା ମିଳିନାହିଁ । ଯାହା ଫଳରେ ଆଗାମୀ ଦିନରେ ଏକ ବଡ଼ଧରଣ ଆନ୍ଦୋଳନ ହେବ ବୋଲି ପ୍ରଶାସନଙ୍କୁ ଚେତାବନୀ ଦେଇଥିଲେ । ସେହିପରି କୁମ୍ଭାରୀ ଗାଁରେ ମନରେଗା ଯୋଜନା ତରଫରୁ ସକ୍‌ପିଟ୍‌ କାର୍ଯ୍ୟ ନିମ୍ନମାନ କରାଯାଇଥିଲା । ଏ ବାବଦରେ ବ୍ଲକ ପ୍ରଶାସନ ତରଫରୁ ୧ ଲକ୍ଷ ୫ ହଜାର ଟଙ୍କା ବିଲ୍‌ ଠିକାଦାରଙ୍କୁ ପଇଠ ହୋଇଥିବା ନେଇ ଭିଆର୍‌ପି, ଜିଆର୍‌ଏସ୍‌ ଓ ଟିମ୍‌ ଯାଇ ତଦାରଖ କରିଥିଲେ । ଯଦି ନିମ୍ନମାନ କାର୍ଯ୍ୟରେ କିଭଳି ପ୍ରଶାସନ ଜାଣିଶୁଣି ବିଲ୍‌ ପ୍ରଦାନ କଲେ ବୋଲି କୁମ୍ଭାରୀ ସମିତିସଭ୍ୟା ସରୋଜିନୀ ବିଭାର ପ୍ରଶ୍ନ ଉଠାଇଥିଲେ । ଏ ଦିଗରେ ବିଡ଼ିଓ କର୍ଯ୍ୟରତ ଯନ୍ତ୍ରୀଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଆମ୍ବପାଲି ପଞ୍ଚାୟତରେ ସୋଫିଟ ନିର୍ମାଣ କରିଥିବା ସମୟରେ ଫଳକ ବୋର୍ଡ ନବନାଇ ୫ ହଜାର ଟଙ୍କା ଉଠାଣ କରିଥିବା ଓ ଡୁଙ୍ଗୁରିପାଲି ପଞ୍ଚାୟତରେ ମିନି ପାର୍କ ନିର୍ମାଣରେ ଫଳକ ବୋର୍ଡ ନତିଆରି କରି ୫ ହଜାର ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଥିଲା । କରମତଲା ବନବିଭାଗ ସେକ୍ସନ ଅଧୀନରେ ଚାଲିଥିଲା ବିଭିନ୍ନ କାର୍ଯ୍ୟଗୁଡ଼ିକର ପଲ୍ଲୀସଭା ଓ ଗ୍ରାମସଭାକୁ ବେଖାତିର କରି ମନମୁଖୀ ମନରେଗା କାର୍ଯ୍ୟ ନାଁରେ ଅର୍ଥକୁ ଆତ୍ମସାତ କରାଯାଉଛି । ଏପରିକି ବନ ସୁରକ୍ଷା ସମିତିକୁ ଅଣଦେଖା କରି କାର୍ଯ୍ୟ ଚାଲିଛି ବୋଲି ପୂର୍ବତନ ସମିତି ସଭ୍ୟ ସୁବାଷ ବୁଡ଼େକ ଅଭିଯୋଗ କରିଥିଲେ । ଉକ୍ତ ମନରେଗା ସମୀକ୍ଷାରେ ପ୍ରଚାର ପ୍ରସାର ଅଭାବ ଯୋଗୁଁ ଶ୍ରମିକମାନେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ଏହା ସହିତ ବ୍ଲକ କର୍ମଚାରୀ ତଥା କାଭାଁ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ବୈଠକରେ ବିଡ଼ିଓ ବିନୟ କୁମାର ଭୋଇଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଏବିଡିଓ ଉପେନ୍ଦ୍ର ମାଝୀ, ଏପିଓ ବନଜାବାସିନୀ ଦାସ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମରେ ସରପଞ୍ଚ, ସମିତି ସଭ୍ୟସଭ୍ୟା, ଯନ୍ତ୍ରୀ, ପିଇଓ, ଜିଆର୍‌ଏସ୍‌, ଭିଆର୍‌ପି, ବ୍ଲକ ପ୍ରଶାସନିକ ଅଧିକାରୀ, ୱାଟର୍‌ ସେଟ୍‌, ଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଶେଷରେ ପିଇଓ ରୁଦ୍ରାକ୍ଷ ଥପା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.