ବରିଷ୍ଠ କଳାକାର ମୋହନ ପଧାନ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ଗାଁର ବରିଷ୍ଠ କଳାକାର ମୋହନ ପଧାନ (୭୪)ଙ୍କ ସୋମବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କ ଶେଷ ସମୟରେ ଧର୍ମପତ୍ନୀ ଯମୁନା ସହ ୩ ପୁଅ ସୁନନ୍ଦ, ଗୋବିନ୍ଦ, ସଦାନନ୍ଦ ଓ ପୁତ୍ର ବଧୂ ସହ ଭାଇମାନେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମଙ୍ଗଳବାର ସକାଳେ ସୋନଗଡ ନଦୀରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା । ଜ୍ୟୈଷ୍ଠ ପୁଅ ସୁନନ୍ଦ ମୁଖାଗ୍ନି ଦେଇଥିଲେ । ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବଡବନ୍ଧ ପୂର୍ବ ସରପଞ୍ଚ ଅନ୍ତର୍ୟ୍ୟାମୀ ଭୋଇଙ୍କ ସହ ଅଞ୍ଚଳର ବହୁ ବରିଷ୍ଠ ବ୍ୟକ୍ତିମାନେ ଶୋକ ପ୍ରକାଶ କରି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ଅବସରରେ ଉପସ୍ଥିତ ରହିଥିଲେ । ପ୍ରକାଶ ଯୋଗ୍ୟ ଯେ, ସ୍ୱର୍ଗତଃ ପଧାନ ଦୀର୍ଘ ବର୍ଷ ଧରି ସିକୁଆଁ ଶ୍ରୀରାମ ଲୀଳା ମଣ୍ଡପରେ ଶ୍ରୀରାମ ଭୂମିକା ଅଭିନୟ କରିଥିବା ସହ ବଡବନ୍ଧ ପଞ୍ଚାୟତର ସମ୍ପାଦକ ଭାବେ କାର୍ୟ୍ୟ କରି ୨୦୦୯ ମସିହାରେ ଅବସର ଗ୍ରହଣ କରିଥିଲେ । ଏହାସହ ସିକୁଆଁ ସ୍ଥିତ ଶ୍ରୀହର୍ଷ ହାଇସ୍କୁଲର ଅନ୍ୟତମ ପ୍ରତିଷ୍ଠାତା ତଥା ସମ୍ପାଦକ ଭାବେ କାର୍ୟ୍ୟ କରି ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଉଦ୍ୟମ କରିଥିଲେ । ସ୍ୱର୍ଗତଃ ପଧାନ ତାଙ୍କର ସମ୍ପାଦକ କାର୍ୟ୍ୟକାରିତା ପାଇଁ ମୋହନ ସେକେଟ୍ରି ନାମରେ ଦେଓଗାଁ ବ୍ଲକ ଅଞ୍ଚଳରେ ବେଶ ପରିଚିତ ଥିଲେ ।

Leave A Reply

Your email address will not be published.