ଭିଏତନାମର ରାଷ୍ଟ୍ରପତି ତଥା ଦଳର ସାଧାରଣ ସଚିବଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଜାତିସଂଘ ସାଧାରଣ ପରିଷଦର ‘ଭବିଷ୍ୟର ଶିଖର ସମ୍ମିଳନୀ’ ଅବସରରେ ୨୩ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲିଷ୍ଟ ରିପବ୍ଲିକ ଅଫ୍ ଭିଏତନାମର ରାଷ୍ଟ୍ରପତି ତଥା କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଚିବ ଶ୍ରୀ ତୋ ଲାମଙ୍କୁ ଭେଟିଛନ୍ତି । ଉନ୍ନତ ନେତୃତ୍ୱ ପାଇଁ ରାଷ୍ଟ୍ରପତି ତୋ ଲାମଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଭାରତ ଓ ଭିଏତନାମ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଆଶା ପୋଷଣ କରିଥିଲେ । ଚଳିତ ମାସ ସାମୁଦ୍ରିକ ଝଡ଼ ୟାଗି ଯୋଗୁ ଭିଏତନାମରେ ହୋଇଥିବା ଧନଜୀବନ କ୍ଷତି ପାଇଁ ପ୍ରଧାନମନ୍ତ୍ରୀ ସମବେଦନା ପ୍ରକାଶ କରିଥିଲେ । ଅପରେସନ ସାଧବ ଜରିଆରେ ଜରୁରି ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ପଠାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ତଥା ସାଧାରଣ ସଚିବ ତୋ ଲାମ ଧନ୍ୟବାଦ ଜଣାଇଥିଲେ । ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସଭ୍ୟତା ଓ ସାଂସ୍କୃତିକ ସମ୍ପର୍କ ଏବଂ ପାରସ୍ପରିକ ଅଟଳ ବିଶ୍ୱାସ, ବୁଝାମଣା ଓ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗକୁ ଦୋହରାଇଥିଲେ । ଭିଏତନାମ ପ୍ରଧାନମନ୍ତ୍ରୀ ଫାମ୍ ମିନ୍ ଚିନଙ୍କ ଗତ ମାସର ଭାରତ ଗସ୍ତ ବିଷୟ ଉଭୟ ନେତା ମନେ ପକାଇଥିଲେ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଥିଲେ । ଇଣ୍ଡୋ-ପାସିଫିକ ତଥା ଆନ୍ତର୍ଜାତିକ ପ୍ଲାଟଫର୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଏବଂ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଥିଲେ ।

Leave A Reply

Your email address will not be published.