କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ପୋଷଣ ମାସ ଏବଂ ‘ମାଁଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସପ୍ତମ ଜାତୀୟ ପୋଷଣ ମାସ ଏବଂ “ମାଁ’ ଙ୍କ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଧୀନ କେନ୍ଦେଇପୋଷି ଗ୍ରାମ ପଞ୍ଚାୟତଠାରେ ଜାତୀୟ ପୋଷଣ ମାସ ଏବଂ ‘ମାଁଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସୂଚନାଧର୍ମୀ ବିଷୟବସ୍ତୁ ସ୍ଥାନ ପାଇଥିଲା । କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ଗ୍ରାମବାସୀ ଏବଂ ମହିଳାମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ ତଥା ପରିବେଶବିତ କୈଳାସ ଚନ୍ଦ୍ର ବାରିକ ମୁଖ୍ୟବକ୍ତା, କେନ୍ଦେଇପୋଷି ସରପଞ୍ଚ ମିନାକ୍ଷୀ ନାୟକ ଏବଂ ମୈଦାନକେଲ ସରପଞ୍ଚ ଭାଗିରଥି ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
ସେହିପରି ଫୁଲବାଣୀସ୍ଥିତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ୍ ସୀତାଜଡ଼ା ଠାରେ ପୋଷଣ ମାସ ଏବଂ ‘ମାଁଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ସ୍ଥାନୀୟ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଥିଲା । କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ‘ମାଁଙ୍କ ପାଇଁ ଗଛଟିଏ’ ଏବଂ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ବ୍ରହ୍ମପୁର ପଞ୍ଚାୟତରେ ଆଜି ଚାରାରୋପଣ କରାଯାଇଥିଲା । ଏଥିରେ ବହୁସଂଖ୍ୟାରେ ମହିଳା ଓ ସ୍ଥାନୀୟ ଜନସାଧାରଣ ଭାଗ ନେଇଥିଲେ । ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ମୁଖ୍ୟାଳୟରେ ରାଷ୍ଟ୍ରୀୟ ପୋଷଣ ମାସ ଏବଂ ପୁଷ୍ଟିକର ଖାଦ୍ୟ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ସ୍ଥିତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ପଦଯାତ୍ରାକୁ ନାକଟିଦେଉଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ୱରୂପା ରାଣୀ ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀମାନେ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ଆୟୋଜନ କରିଥିଲେ ।

Leave A Reply

Your email address will not be published.