ସ୍ୱର୍ଗତ ରମେଶ ସାରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜକନିକା ବ୍ଲକର ପୁରାତନ ଶିକ୍ଷାନୁଷ୍ଠାନ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଜୟନଗରର ପ୍ରାକ୍ତନ କ୍ରୀଡା ଶିକ୍ଷକ ତଥା କଟକ ଅନ୍ନପୂର୍ଣ୍ଣା ଥିଏଟରର୍‌ ମଞ୍ଚ କଳାକାର ସ୍ୱର୍ଗତ ରମେଶ ଚନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କ ବାସଭବନ ଏଣ୍ଡୁଳାପୁର ଠାରେ ଏକ ଭାବପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପ୍ରଧାନ ଶିକ୍ଷକ ଫକୀର ମୋହନ ନାୟକ ପ୍ରଥମେ ତାଙ୍କର ଫଟୋଚିତ୍ର ଏବଂ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପରେ ପରେ ସମୂହ ଦୀପଦାନ, ପୁଷ୍ପାଞ୍ଜଳି ପ୍ରଦାନ ସହ ବେଦମନ୍ତ୍ର, ନୀରବ ପ୍ରାର୍ଥନା ଏବଂ ଭଗବତ ପାଠ କରାଯାଇଥିଲା । ରମେଶ ସାରଙ୍କ ଏକ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇ ତାହାକୁ ବିଧି ପୂର୍ବକ ପ୍ରତିଷ୍ଠା କରାଯାଇଥିଲା । ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ଆୟୋଜିତ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ସଭାପତି ହରେଗୋବିନ୍ଦ ମଢୁଆଳଙ୍କ ସଂଯୋଜନାରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବାଞ୍ଛାନିଧି ସୂତାର, ଶିକ୍ଷକ ହରିହର ଜେନା, ଶିକ୍ଷକ ବେଣୁଧର ସାହୁ, ଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ର, ଶିକ୍ଷକ ଗୋପୀନାଥ ନାୟକ, ଶିକ୍ଷକ ନିମାଇଁ ଚାନ୍ଦ ପଣ୍ଡା, ବିଶିଷ୍ଟ ସାହିତ୍ୟିକ ଓ କବି ହରେକୃଷ୍ଣ ବାରିକ, ଶିକ୍ଷାବିତ୍‌ ଗୟାଧର ନାୟକ, ଗୋକୁଳ ଚନ୍ଦ୍ର ପାଣି, ପ୍ରଫେସର ଫକୀର ଚନ୍ଦ୍ର ପ୍ରଧାନ, ହେମନ୍ତ କୁମାର ନାୟକ, ସହଦେବ ନାୟକ, ସୁରେଶ ଚନ୍ଦ୍ର ରାଉତ, ପ୍ରମୋଦ ରାଉତ ପ୍ରମୁଖ ରମେଶ ସାରଙ୍କ ଗୁଣଗାନ କରିବା ସହ ଶୋକବ୍ୟକ୍ତ କରିଥିଲେ । ତାଙ୍କର ଜ୍ୟେଷ୍ଠ ପୁତ୍ର ରଞ୍ଜନ କୁମାର ପ୍ରଧାନ ଉପସ୍ଥିତ ସମସ୍ତ ଗୁରୁଜୀ, ସଜ୍ଜନ ମଣ୍ଡଳୀ ଏବଂ ସୁବର୍ଣ୍ଣ ଜୟନ୍ତୀ କମିଟିର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

error: Content is protected !!