ବେଦାନ୍ତ ପ୍ରୋସେସ ୱାଟର ଲେକ କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ନ ମିଳିଲେ ବ୍ୟାପକ ଆନ୍ଦୋଳନର ଚେତାବନୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଅଞ୍ଚଳବାସୀଙ୍କୁ ବିପଦ ମୁହଁକୁ ଠେଲି ଦେଇଛି ବେଦାନ୍ତ କମ୍ପାନୀ । ଆଜି ମଧ୍ୟ ବେଦାନ୍ତ ଦ୍ୱାରା ବିସ୍ଥାପିତ ଲୋକେ ନ୍ୟାୟ ପାଇଁ ଗୁହାରି କରୁଥିବା ବେଳେ, କମ୍ପାନୀ କର୍ତୃପକ୍ଷ ଆଖି ବୁଜି ଦେଇଛନ୍ତି । କମ୍ପାନୀ ସ୍ଥାପିତ ହୋଇ ୨୦ ବର୍ଷ ବିତି ଯାଇଥିଲେ ହେଁ ଅଞ୍ଚଳର କୌଣସି ଆଖି ଦୃଶିଆ ଉନ୍ନତି ହୋଇପାରି ନାହିଁ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଲଗାତାର ଅଣଦେଖା କରିଆସୁଛନ୍ତି ବେଦାନ୍ତ କର୍ତ୍ତୃପକ୍ଷ । ଲୋକଙ୍କ ଠାରୁ ଜମି, ଜାଗା, ଭିଟାମାଟି ନେଇ ରିଫାଇନେରୀ ପ୍ରକଳ୍ପ ସ୍ଥାପନ ପରେ ସେମାନଙ୍କ ସମସ୍ୟାକୁ ଭୁଲିଯାଇଛି କମ୍ପାନୀ । ଅଂଚଳବାସୀଙ୍କୁ ବିକାଶର ସୁନେଲୀ ସ୍ୱପ୍ନ ଦେଖାଇ ବେଦାନ୍ତ ଭୁଆଁ ବୁଲେଇବା ଆଦୌ ଗ୍ରହଣୀୟ ନୁହେଁ । ଆମେ କମ୍ପାନୀ ବିରୋଧୀ ନୋହୁଁ । କମ୍ପାନୀ ଅଧିକରୁ ଅଧିକ ଲାଭ କରୁ, ଉନ୍ନତି କରୁ । ସେହି ଢଙ୍ଗରେ ନିଜର ସାମାଜିକ ପ୍ରତିବଦ୍ଧତା କାୟମ ରଖୁ । ନିଜ ଦ୍ୱାରା ବିସ୍ଥାପିତ, ପ୍ରଭାବିତ ଜନସାଧାରଣଙ୍କୁ ଥଇଥାନ କରୁ, ନିଯୁକ୍ତି ଦେଉ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ଦିଗରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରୁ । କିନ୍ତୁ ଲାଞ୍ଜିଗଡଠାରେ ପ୍ରକଳ୍ପ କରି କଟକ – ଭୁବନେଶ୍ୱର ଅଞ୍ଚଳରେ ଖର୍ଚ୍ଚ କଲେ ହେବନାହିଁ । ଏହି ପ୍ରକଳ୍ପ ଅର୍ଥାତ ଏ ଅଞ୍ଚଳର ଲୋକଙ୍କ ଉନ୍ନତିକୁ କମ୍ପାନୀ ପ୍ରାଥମିକତା ଦେବା କଥା କିନ୍ତୁ କମ୍ପାନୀ ତାହା ନକରିବାରୁ ଆଜି ଲୋକେ ସମସ୍ୟା ଭୋଗୁଛନ୍ତି। ସେହିପରି କମ୍ପାନୀର ବେପରୁଆ ମନୋଭାବ ଯୋଗୁଁ ପ୍ରୋସେସ ୱାଟର ଲେକ ଭୁଷୁଡ଼ିଲା ବୋଲି କହିବା ସହିତ ଶହଶହ ଏକର ଚାଷ ଜମିରେ ବିଷାକ୍ତ କଷ୍ଟିକ ପାଣି ମାଡ଼ିଯିବା, ନଦୀରେ ମାଛ ମରି ପଡିବା, ଲୋକେ ରୋଗାକ୍ରାନ୍ତ ହେବା ଭଳି ଗୁରୁତର ସମସ୍ୟାକୁ ନଜର ଅନ୍ଦାଜ କରିବା ପାଇଁ ବେଦାନ୍ତକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଡିଫାଇନ କଳାହାଣ୍ଡିର ଅଧ୍ୟକ୍ଷ ମଧୁ ମହାନ୍ତି ପ୍ରଭାବିତ ଅଞ୍ଚଳ ବୁଲି ତାଙ୍କ ମତ ରଖିଛନ୍ତି । ଲାଞ୍ଜିଗଡ ବେଦାନ୍ତ କମ୍ପାନୀ ପ୍ରୋସେସ ୱାଟର ଲେକ ବନ୍ଧ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । କ୍ଷତିଗ୍ରସ୍ତ ହୋଇଥିବା ବଣ୍ଡେଲ, ଟୁରୀଗୁଡା ସମେତ ବନ୍ଧଗୁଡା, ଆର୍‌ବିକେ କଲୋନୀ ବୁଲିବା ସହିତ କ୍ଷତିଗ୍ରସ୍ତ ପରିବାର ଓ ବିସ୍ଥାପିତ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ । ସେହିପରି ବେଦାନ୍ତ ମୁଖ୍ୟ ଫାଟକ ନିକଟରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା ବେଳେ, କ୍ଷୟକ୍ଷତିର ଆକଳନ ସହିତ ଆସନ୍ତା ୧୦ ଦିନ ମଧ୍ୟରେ ବେଦାନ୍ତ କଷ୍ଟିକ ପାଣି ଦ୍ୱାରା ପ୍ରଭାବିତ ଓ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଯଦି କମ୍ପାନୀ କୌଣସି ଠୋସ ପଦକ୍ଷେପ ନ ନେଲେ ଡିଫାଇନ କଳାହାଣ୍ଡି ପକ୍ଷରୁ ଭୟାବହ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ । ଆମେ କମ୍ପାନୀକୁ ବିରୋଧ କରୁନୁ କିନ୍ତୁ ଅଞ୍ଚଳର ଉନ୍ନତି ପାଇଁ କମ୍ପାନୀ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ ।

Leave A Reply

Your email address will not be published.