ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅତିଥି ପ୍ରଶିକ୍ଷକ ମାନଙ୍କୁ ଅଣଦେଖା

  • ଆମରଣ ଅନଶନ ଆନ୍ଦୋଳନରେ ବସିବେ ପ୍ରଶିକ୍ଷକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଅତିଥି ପ୍ରଶିକ୍ଷକ ସଂଘ, ବଲାଙ୍ଗିର ଶାଖା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ଆଲୋକ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଅଣାଯାଇଥିଲା । ଦୀର୍ଘବର୍ଷ ଧରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦକ୍ଷତା ଓ କୌଶଳ ବିକାଶ ଲକ୍ଷ୍ୟକୁ ସଫଳତା ପଥେ ଆଗେଇ ନେବାରେ ଏହି ଅତିଥି ପ୍ରଶିକ୍ଷକମାନେ ବିନ୍ଧାଣୀ ସାଜିଥିଲେ ହେଁ ଆଜି ପର୍ଯ୍ୟନ୍ତ ସେମାନେ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛନ୍ତି ବୋଲି ଅସନ୍ତୋଷ ପ୍ରକାଶ ପାଇଥିଲା । ସାମ୍ବାଦିକ ସମ୍ମିଳନୀରେ ସେମାନେ ସୂଚନା ଦେଇ କହିଥିଲେ ଯେ, ଓଡ଼ିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ପ୍ରାୟ ୬୦୦ ଅତିଥି ପ୍ରଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦେଉଛନ୍ତି । ଦୀର୍ଘ ବର୍ଷ ହେଲା ନିରବିଚ୍ଛନ୍ନ ଭାବରେ ସ୍ୱଳ୍ପ ଦରମାରେ କାମ କରୁଛନ୍ତି । ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ଆଡ଼ମିଶନ, କ୍ୟାରିଅର କାଉନସିଲିଂ, ସ୍ପୋର୍ଟସ ଆକ୍ଟିଭିଟି, ସ୍କିଲ ଏକ୍ଜିଭିଜନ, ଛାତ୍ରବୃତ୍ତି ଓ ଅନ୍ୟାନ୍ୟ କାମରେ ନିଜକୁ ନିୟୋଜିତ କରୁଛନ୍ତି । ଏ ସମସ୍ତ କାମ ତୁଳନାରେ ପ୍ରଶିକ୍ଷକ ମାନଙ୍କ ପାରିଶ୍ରମିକ ନ୍ୟୁନ ମନେ ହୁଏ । କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ ସେମାନଙ୍କ ବିଷୟରେ ଚିନ୍ତା କରୁନାହାନ୍ତି । କେବଳ ଆଶ୍ଵାସନା ଦେଇଚାଲିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଯେ, ଏହି ଅତିଥି ପ୍ରଶିକ୍ଷକମାନଙ୍କୁ ନିୟମିତ କର୍ମଚାରୀ ଭାବରେ ଦର୍ଶାଇ ଶିଳ୍ପ ତାଲିମ ଅନୁଷ୍ଠାନ ଗୁଡ଼ିକ ଏନ୍‌ସିଭିଟି ମାନ୍ୟତା ହାସଲ କରୁଥିଲେ ଏବଂ କରୁଛନ୍ତି ମଧ୍ୟ । କିନ୍ତୁ ପୂର୍ବତନ ବିଭାଗୀୟ ମନ୍ତ୍ରୀ, ସଚିବ, ନିର୍ଦ୍ଧେଶକମାନଙ୍କୁ ବାରମ୍ବାର ହାରି ଗୁହାରି କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ । ବରଂ ଆର୍ଥିକ ଓ ମାନସିକ ଅତ୍ୟାଚାର ସହିବାକୁ ପଡୁଛି । ଯାହାଫଳରେ ଅତିଥି ପ୍ରଶିକ୍ଷକମନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦ ତାରିଖ ଦିନ ସକାଳ ୯ଟା ସମୟରୁ ନିର୍ଦ୍ଧେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବାକୁ ସ୍ଥିର କରାଯାଇଛି । ୮ ଦଫା ଦାବିନେଇ ପ୍ରଶିକ୍ଷକ ମାନେ ଆନ୍ଦୋଳନରେ ବସିବେ । ସେମାନଙ୍କ ଦାବି ମଧ୍ୟରେ ଅତିଥି ପ୍ରଶିକ୍ଷକ ନାମ ପରିବର୍ତ୍ତନ କରାଯାଇ କେବଳ ପ୍ରଶିକ୍ଷକ ନାମ ଦିଆଯାଉ, ବହିସ୍କାର କରାଯାଇଥିବା ଅତିଥି ପ୍ରଶିକ୍ଷକମାନଙ୍କୁ ପୁନଃନିଯୁକ୍ତି ଦିଆଯାଉ, ବାର୍ଷିକ କିଛିଦିନ ଦେୟଯୁକ୍ତ ଛୁଟି ସହିତ ମହିଳା ଅତିଥି ପ୍ରଶିକ୍ଷକମାନଙ୍କୁ ମାତୃତ୍ଵ ଛୁଟି ପ୍ରଦାନ କରାଯାଉ, ପ୍ରତି କ୍ଲାସ ହିସାବରେ ମିଳୁଥିବା ଦରମାକୁ ମାସିକ ସ୍ଥିର ଦରମା କରିବା ସହିତ ନିୟମିତ ପ୍ରଶିକ୍ଷକଙ୍କ ଦରମା ସହିତ ସମାନ କରାଯାଉ, ଦୀର୍ଘବର୍ଷ ଧରି କାମ କରି ଆସୁଥିବା ଅତିଥି ପ୍ରଶିକ୍ଷକ ମାନଙ୍କୁ ବହିସ୍କାର କରାନଯାଉ, ପ୍ରତିବର୍ଷ ଅଧ୍ୟକ୍ଷ ମାନେ ମନ ଇଚ୍ଛା ଛଟେଇ କରୁଛନ୍ତି ତାହା ବନ୍ଦ କରାଯାଉ, ଅତିଥି ପ୍ରଶିକ୍ଷକ ମାନଙ୍କ ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଓଏସ୍‌ଏସ୍‌ସି ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରାଯାଉ, ଅତିଥି ପ୍ରଶିକ୍ଷକ ମାନଙ୍କୁ ୬୦ ବର୍ଷ ନହେବା ପର୍ଯ୍ୟନ୍ତ ତାଙ୍କ ସ୍ଥାନରେ କୌଣସି ନିୟମିତ ପ୍ରଶିକ୍ଷକଙ୍କୁ ନିଯୁକ୍ତି କରାନଯାଉ କିମ୍ବା ତାଙ୍କ ଜାଗାରେ କୌଣସି ନିୟମିତ ପ୍ରଶିକ୍ଷକଙ୍କୁ ବଦଳି କିମ୍ବା ନିୟୋଜନ କରାନଯାଉ ବୋଲି ଦାବି ରହିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୁରେନ୍ଦ୍ର ଜଗଦଲା, ଆଲୋକ କୁମାର ପଣ୍ଡା, ରମାକାନ୍ତ ନାଏକ, ଶେଷଦେବ ସୁନା, ହରେକୃଷ୍ଣ ଥାଟି, ଅସୀମ କୁମାର ରାଉତ, ପ୍ରଫୁଲ୍ଲ କୁମାର ବହିଦାର ଓ ଅନ୍ୟ ସମସ୍ତ ଅତିଥି ପ୍ରଶିକ୍ଷକ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.