ଭବ୍ୟ ଆୟୋଜନ ମଧ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି । ମହିଳା ମାନଙ୍କ ସ୍ୱାଭିମାନ ଓ ଆର୍ଥିକ ବିକାଶ ଦୃଷ୍ଟିରୁ ଏହି ଐତିହାସିକ ଯୋଜନାର ଶୁଭାରମ୍ଭ ଅବସରରେ ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ଆୟୋଜନ ମଧ୍ୟରେ ଭୁବନେଶ୍ୱର ଜନତା ମଇଦାନର ସିଧା ପ୍ରସାରଣ ସହିତ ଉପସ୍ଥିତ ଲାଭାର୍ଥୀ ମାନଙ୍କୁ ଅବଗତ କରାଯାଇଥିଲା । ଜୟପାଟଣା ବ୍ଲକରେ ଅଦ୍ୟାବଧି ୬୫ ହଜାର ଆବେଦନ ଫର୍ମ ବିତରଣ କରାଯାଇଥିବା ବେଳେ ୨୦ ହଜାର ଲାଭାର୍ଥୀଙ୍କ ପଞ୍ଜିକରଣ ଚୂଡାନ୍ତ ହୋଇଥିବା ବିଡିଓ ଧର୍ମରାଜ ମାଝୀ ପ୍ରକାଶ କରିଛନ୍ତି । ସ୍ୱଚ୍ଛତା ପକ୍ଷ ଆରମ୍ଭ ହୋଇଥିବା ବେଳେ ଅତିରିକ୍ତ ବିଡିଓ ବିଶ୍ଵନାଥ ରାଉତ ସମବେତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଥବିର ବାଗ ଯୋଗଦେଇ ମହିଳା ମାନଙ୍କ ଆର୍ଥିକ ବିକାଶ କ୍ଷେତ୍ରରେ ଏହା ଏକ ସଫଳ ପ୍ରୟୋଗ ବୋଲି ପ୍ରକାଶ କରିଥିଲେ । ପ୍ରାୟ ୨ ହଜାର ମହିଳାଙ୍କ ସହ ଅଙ୍ଗନୱାଡ଼ି କର୍ମୀ, ମିଶନ ଶକ୍ତି ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଉପସ୍ଥିତିରେ ଯୋଜନାର ପୃଷ୍ଠଭୂମି ଓ ସଫଳତା ସମ୍ପର୍କରେ ବିଭିନ୍ନ ବକ୍ତା ମତ ରଖିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ସଂସ୍କୃତିକୁ ଦଳ ମାନଙ୍କ ପ୍ରଦର୍ଶନ ଆଞ୍ଚଳିକ କଳା ଓ କଳାକାର ମାନଙ୍କ ପାଇଁ ବିକାଶର ମାର୍ଗ ସୃଷ୍ଟି କରିଥିଲା । କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟଙ୍କ ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ପାଇଁ ଉଦ୍ୟମ କରିଥିଲେ ।

Leave A Reply

Your email address will not be published.