ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁ

କୁଆମରା : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ଖୁଣ୍ଟା କସ୍ତୁରବା ବାଳିକା ଛାତ୍ରୀନିବାସରେ ଜନୈକା ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ଗତକାଲି ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି । ଏହାର ପ୍ରତିବାଦରେ ଆଜି ରାସ୍ତା ଉପରେ ମୃତଦେହ ରଖି ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ ଖୁଣ୍ଟା ବ୍ଲକ ଅନ୍ତର୍ଗତ ବଡପଥରା ପଞ୍ଚାୟତ ଅଧିନ କୁସୁମଘାଟି ଗ୍ରାମର ପ୍ରଭାକର ବେହେରାଙ୍କ ଝିଅ ମଧୁସ୍ମିତା ବେହେରା (୧୨) ଷଷ୍ଠ ଶ୍ରେଣୀ ଇଂରାଜୀ ବିଦ୍ୟାଳୟରେ ପାଠ ପଢୁଥିଲା ବେଳେ, ସେ ଗତ ୧୯ ତାନିଖ ଦିନ ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଯାଇ ପୁଣି ୨୧ ତାରିଖ ବୁଧବାର ଦିନ ଫେରିଥିଲେ । ତେବେ ସେହି ଦିନ ଠାରୁ ମଧୁସ୍ମିତା ସାମାନ୍ୟ ଅସୁସ୍ଥ ରହୁଥିଲେ ବୋଲି ସାଙ୍ଗମାନେ କହିଛନ୍ତି ମାତ୍ର ଶନିବାର ସକାଳେ ଅଧିକ ଅସୁସ୍ଥ ହୋଇ ଯାଇଥିଲେ କିନ୍ତୁ ହଷ୍ଟେଲ କର୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ନେବାକୁ ଆଗ୍ରହ ପ୍ରକାଶ କରିନଥିଲେ । ଫଳରେ ଅବହେଳା ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ଉଠାଇଛନ୍ତି ପରିବାର ଲୋକେ । ଗତରାତି ୯ଟାରେ ୱାଡେନ ମିନତୀ ମହାପାତ୍ର ଖୁଣ୍ଟା ଡାକ୍ତରଖାନାକୁ ନେବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଡାକ୍ତରଖାନାରେ ଡାକ୍ତର ମଧୁସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଆଜି ସକାଳେ ପରିବାର ତଥା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଚିକିତ୍ସା ଅବହେଳା ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଆଜି ମୃତଦେହକୁ ୧୯ ନମ୍ବର ରାଜ୍ୟ ରାଜପଥ ଉଦଳା – ବାରିପଦା ରାସ୍ତାର ଖୁଣ୍ଟା ମୁଖ୍ୟ ଛକରେ ରଖି ନ୍ୟାୟ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଥିଲେ । ଫଳରେ ଦିନ ତମାମ ଯାନବାହନ ଚଳାଚଳ ବାଧାପ୍ରାପ୍ତ ଘଟିଥିଲା ।

jittmm
Leave A Reply

Your email address will not be published.