ଖଲିଆକାନି ଗ୍ରାମରେ ସାମୁହିକ ଭାବେ ୩ ହଜାର ଫଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମାଁ ପାଇଁ ଗଛଟିଏ, ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ଉଦ୍ଦେଶ୍ୟ ନେଇ ଭୋଇପଡ଼ା ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ଏକ ସାମୁହିକ ଫଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଖଳିଆକାନି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତଥା ଧର୍ମା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହଳଦୀ ସରପଞ୍ଚ ସୌମୀନା ସେଠ ମୁଖ୍ୟ ଅତିଥି, ବନବିଭାଗ ପକ୍ଷରୁ ମୁରିବାହାଲ ସଦର ଫରେଷ୍ଟର ପୁଷ୍ପାଞ୍ଜଳି ଯୋଶୀ, ବ୍ଲକ ପ୍ରଶାସନ ପକ୍ଷରୁ ଏପିଓ ବସନ୍ତ କୁମାର ବଳିଆର ସିଂ ଓ ବିଆରସି ଶ୍ରୀକାନ୍ତ ଜେନା ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଫଳ ବୃକ୍ଷରୋପଣର ମହତ୍ତ୍ଵ ସମ୍ପର୍କରେ ବୁଝାଇ ପ୍ରଥମେ ବୃକ୍ଷରୋପଣ କରିଥିଲେ । ଏଥିରେ ମିଳିତ ଭାବେ ଗ୍ରାମର ସମସ୍ତ ସ୍ଵୟଂସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, ଗ୍ରାମ୍ୟ ଉନ୍ନୟନ କମିଟି ଓ ଶ୍ରମିକ ସଂଗଠନର ପ୍ରାୟ ୨୫୦ ଜଣ ‘ମହିଳା ଓ ପୁରୁଷ ଅଂଶ ଗ୍ରହଣ କରି ଗୋଟିଏ ଦିନରେ ୩ ହଜାର ଫଳଚାରା ରୋପଣକରି ଉଦାହରଣ ସୃଷ୍ଟି କରିଥିଲେ । ଫଳବୃକ୍ଷ ମାଧ୍ୟମରେ ବଢ଼ୁଥିବା ଅସହ୍ୟ ତାପମାତ୍ରାକୁ ନିୟନ୍ତ୍ରଣକୁ ଆଣିବା ସାଙ୍ଗକୁ ଆଗକୁ ବ୍ୟବସାୟୀକ ଭିତ୍ତିରେ ଫଳ ବିକ୍ରୟକରି ଜୀବିକାର ବିକାଶ କରାଇ ପାରିବା ଲକ୍ଷ୍ୟରଖି ଅତି ଆଗ୍ରହର ସହିତ ଗ୍ରାମବାସୀ ସମ୍ମିଳିତଭାବେ ଫଳ ବୃକ୍ଷରୋପଣ କରୁଥିବା ଦେଖିବାକୁ ମିଳିଥିଲା । ବ୍ଲକ ଏପିଓ ଶ୍ରୀ ସିଂ ଜବକାର୍ଡଧାରୀ ଶ୍ରମିକଙ୍କୁ ମନରେଗା ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟପାଇଁ ମଜୁରୀ ପ୍ରଦାନ କରିବା ଲାଗି ଜଣାଇ ଅଂଶ ଗ୍ରହଣକାରୀଙ୍କୁ ଆହୁରି ଏହି କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମର ସୁପରିଚାଳନାରେ ଜନମୁକ୍ତି ଅନୁଷ୍ଠାନର କର୍ମୀ ଓ କର୍ମକର୍ତ୍ତା ସୁବର୍ଣୀ ବାଗ, ସୁଶିଲ କୁମାର ସାହୁ, ମହେଶ୍ୱର ରଣା ସହଯୋଗ କରିଥିଲାବେଳେ ଗ୍ରାମର ୱାର୍ଡ ମେମ୍ବର ପୁଷ୍ପାଞ୍ଜଳୀ ବଚ୍ଛା, ଗ୍ରାମସାଥୀ ରତ୍ନାକର ବାଗ ଓ ସିଆର୍‌ପି ନମିତା ତାଣ୍ଡି ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଏସ୍‌ଜିଆଇ ଓ ବାସୁଦେବ ପଣ୍ଡା ଫାଉଣ୍ଡେସନ୍‌ ମାଗଣାରେ ଏହି ସମସ୍ତ ଫଳବୃକ୍ଷ ଚାରା ସହାୟତା କରିଥିଲେ ।

Leave A Reply

Your email address will not be published.