ବିଚିତ୍ର ଅନ୍ଧବିଶ୍ୱାସ : ମୃତ ଶରୀରରେ ଜୀବନ ଫେରିବା ଆଶାରେ ଦୀର୍ଘ ୧୦ ଦିନ ଧରି ଘରେ ରଖିଥିଲେ ଶବ, ସଂକଳ୍ପ ପରିବାର ପହଞ୍ଚି ଶବ ସତ୍କାର କଲା
ବରଗଡ଼, (ନିରୋଜ କୁମାର ପାଣୀ) : ମଣିଷର ମୃତ୍ୟୁ ହେବା ପରେ ଆଉ ସେ ଜୀବନ୍ତ ହୁଏ ନାହିଁ, ଏହା ସମସ୍ତଙ୍କୁ ଜଣା । ବହୁ ପୁରାତନ କାଳରେ ମୃତ ଶବକୁ ଯତ୍ନ ସହକାରେ ରଖୁଥିଲେ ମୃତକର ଜୀବନ ଫେରି ପାଇବା ଆଶାରେ, ଯାହା ଏକ ଅନ୍ଧବିଶ୍ଵାସ ରହିଥିଲା । ମାତ୍ର ବର୍ତ୍ତମାନର ଆଧୁନିକ ଯୁଗରେ ଯଦି ମୃତ ଶବକୁ ଦଶ ଦିନ ଧରି ଘରେ ରଖାଯାଏ ମୃତକଙ୍କ ଜୀବନ ଫେରିବା ଆଶାରେ, ବୋଧହୁଏ ଏହାକୁ କେହି ବିଶ୍ବାଶ କରିପାରିବେ ନାହି । କିନ୍ତୁ ମୃତ ଶବର ଜୀବନ ଫେରିବା ଆଶାରେ ଶବ ପଚିସଢି ଦୁର୍ଗନ୍ଧରେ ଏରିଆ ଫାଟିପଡୁଛି, ପୋକ ଶାଳବଳ ହୋଇ ଘରେ ବୁଲୁଛନ୍ତି, ତଥାପି ଶବର ଜୀବନ ଫେରିବା ଆଶାରେ ପରିବାର ଲୋକେ ଶବକୁ ଘରେ ରଖିଥିବା ପରି ଅଜବ ଘଟଣା ଦେଖିବାକୁ ମିଳିଛି ବରଗଡ ସହରରେ ।
ଆଜିର ଯୁଗରେ ପୁଣି ବରଗଡ ସହରରେ ଏପରି ଅନ୍ଧବିଶ୍ବାସ ଘଟଣା ଦେଖିବାକୁ ମିଳିଛି । ଏପରି ଘଟଣାର ଖବର ପାଇବା ପରେ ଘଟଣା ସ୍ଥଳକୁ ବରଗଡର ସଂକଳ୍ପ ପରିବାର ପହଞ୍ଚିଥିଲା ଏବଂ ପୋଲିସ ପ୍ରଶାସନର ସହାୟତାରେ ଶବକୁ ସତ୍କାର କରିଥିଲା । ବରଗଡ ବରଡୋଲ ପଞ୍ଚାଯତ ଡାଙ୍ଗ ଛକ ଠାରେ ମହେନ୍ଦ୍ର ବାଗ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ପରିବାରରେ ଦୁଇ ଝିଅ, ସ୍ତ୍ରୀ ଓ ଶାଶୁ ଥିବା ବେଳେ ଘର ଚଲାଉଥିବା ଏକମାତ୍ର ପୁରୁଷଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବକୁ ସତ୍କାର ନକରି ଜୀବନ ଫେରିପାଇବା ଆଶାରେ ଦୀର୍ଘ ୧୦ ଦିନ ଧରି ଘରେ ରଖିଥିଲେ । ଆଶ୍ଚର୍ୟ୍ୟର ବିଷୟ ଯେ, ଦୁର୍ଗନ୍ଧରେ ନାକ ଫାଟି ପଡୁଥାଏ, ଘରର ପାଖ ମାଡିହେଉ ନଥାଏ, ମାତ୍ର ଗୋଟେ କୋଠରି ଭିତରେ ଏତେ ଦିନଧରି ପରିବାରର ୪ ଜଣ ରହି ଯାଉଥିଲେ । ଏହା ପରିବାର ଲୋକଙ୍କ ଅନ୍ଧବିଶ୍ଵାସ ହୋଇପାରେ କିମ୍ବା ଅଧିକ ଭଲପାଇବା ଓ ପାଗଳାମୀ ମଧ୍ୟ ହୋଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ବରଗଡର ସଂକଳ୍ପ ପରିବାର ବରଗଡ ଟାଉନ ପୋଲିସର ସହାୟତାରେ ଏହି ଶବକୁ ଉଦ୍ଧାର କରି ଶବସତ୍କାର କରିଥିବା ଜଣାପଡ଼ିଛି ।