ମନ୍ଦିର ଦର୍ଶନ କରିଯିବା ହେଲା କାଳ : ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ହନୁପାଲି ଗାଁ ନିକଟ ପୋଲ ପାଖରେ ବାଇକ୍‌ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ହେଲେ ବରଗଡ ଜିଲ୍ଲା ବୁଡ଼େନ ଥାନା ଗୋଏଲଗୁଡ଼ା ଗାଁର ମଣ୍ଟୁ କାମତି(୨୭) ବୋଲି ଜଣାଯାଇଛି । ସେହିପରି ଆହତ ୨ ଜଣ ମଧ୍ୟ ଗୋଏଲଗୁଡ଼ା ଗାଁର ଗୌର ବାରିହା (୧୯)ଓ କାର୍ତ୍ତିକ ପଧାନ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ୩ ସାଙ୍ଗ ଏକ ବାଇକ୍‌ ନଂ ଓଆର୍‌ ୧୭ସି ୨୨୨୬ ଯୋଗେ ସୋମବାର ସକାଳ ୧୦ଟା ସମୟରେ ହରିଶଙ୍କର ଦର୍ଶନ ପାଇଁ ଆସୁଥିବା ବେଳେ ହନୁପାଲି ଗାଁ ନିକଟ ପୋଲ ନିକଟରେ ଭାରସାମ୍ୟ ହରାଇ ପୋଲ ତଳ ନାଳକୁ ଛିଟିକି ପଡ଼ିଥିଲେ । ଯାହାଫଳରେ ୩ ଜଣ ଗୁରୁତର ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତର ଖାନା ନେଇଥିବା ବେଳେ ଡାକ୍ତର ମଣ୍ଟୁଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଥିବା ଅନ୍ୟ ୨ ଜଣଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୯୮/୨୪ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.