ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଲକ୍ଷ୍ମୀବସ୍‌ ସୁଇପରଙ୍କ ଜୀବନ

ଲୋଇସିଂହା, (କେପିଏନ୍‌ଏସ୍‌) : ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ଠାରେ ଶନିବାର ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ଜୀବନ ଚାଲିଯାଇଛି । ମୃତକ ଜଣକ ହେଲେ ଲୋଇସିଂହା ଜଡ଼ାମୁଣ୍ଡାର ସୁମନ୍ତ ପଧାନ(୨୫) । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ତାଙ୍କ ଭଉଣୀଙ୍କୁ ସରକାରୀ ଚାକିରି ଦାବିରେ ତାଙ୍କ ସମ୍ପର୍କୀୟ ତଥା ସ୍ଥାନୀୟ ଲୋକେ ଫାସଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତାରୋକ ଜାରି ରଖିଛନ୍ତି । ସୂଚନା ମୁତାବକ, ବଲାଙ୍ଗିର ପରିବହନ ବିଭାଗର ଲକ୍ଷ୍ମୀ ବସ୍‌ରେ ସୁଇପର ଭାବେ ସୁମନ୍ତ କାମ କରୁଥିଲେ । ଡ୍ୟୁଟି ସାରି ଆଜି ସକାଳେ ବାଇକ୍‌ (ଓଡି ୦୩ ଏଫ୍‌ ୫୬୭୩) ରେ ବଲାଙ୍ଗିରରୁ ଘରକୁ ଫେରୁଥିଲେ । ତେବେ ଫାସଡ ଠାରେ ବିପରୀତ ଦିଗରୁ ଆସୁଥିବା ୧୦୮ ଆମ୍ବୁଲାନ୍ସ (ଓଡ଼ି୦୨ ବିଏଚ ୪୩୧୪) ତାଙ୍କୁ ସାମ୍ନାପଟରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁମନ୍ତଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସକୁ ଅଟକାଇ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାଯାଇଛି । ଖବର ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଆମ୍ବୁଲାନ୍ସ ଡ୍ରାଇଭରକୁ ଉଦ୍ଧାର କରି ଥାନାକୁ ଆଣିଥିଲା । ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ, ଲୋଇସିଂହା ଆଇଆଇସି ଯାଜ୍ଞସେନି ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବ୍ୟାହତ ହେବା ସହିତ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି ।

Leave A Reply

Your email address will not be published.