
- ଶତ ପ୍ରତିଶତ ସଫଳତା ପାଇଁ ଆଗେଇ ଆସିବାକୁ ଆହ୍ୱାନ
- ଅଗଷ୍ଟ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୬୨୨୦୦୦ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ଔଷଧ
- କେହି ଜଣେ ବି ଯୋଗ୍ୟ ଲୋକ ଯେପରି ବାଦ ନ ପଡ଼ିବେ ସେଥିପାଇଁ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଜିଲ୍ଲାରେ ୧୦ରୁ ୧୯ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ରାଜେନ୍ଦ୍ର ମାଝୀ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନଙ୍କ ଦ୍ୱାରା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଭା ତରଫରୁ ଜିଲ୍ଲାର ତରଭା ବ୍ଲକ ତରଭା ସହର ସ୍ଥିତ ରଥପଡା ନବଜ୍ୟୋତି କ୍ଲବ ପରିସରରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ରାଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ. ଦୁର୍ଗାଦତ୍ତ ଦାସ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସ୍ୱାସ୍ଥ୍ୟ ଅଧିକାରୀ ସିଏଚ୍ସି ଡାକ୍ତର କ୍ଷୀରୋଦ୍ର କୁମାର ମିଶ୍ର, ଡିପିଏମ୍ଏନ୍ଏଚ୍ଏମ୍ ବିଶ୍ୱମ୍ବର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ଶତ ପ୍ରତିଶତ ସଫଳତା ପାଇଁ ଅତିଥି ବୃନ୍ଦ ଗୁରୁତ୍ୱାରୋପ କରିବା ସହ ସମସ୍ତେ ନିଶ୍ଚୟ ଔଷଧ ଖାଇବା ଓ ଜିଲ୍ଲାକୁ ଫାଲେଇରିଆ ମୁକ୍ତ କରିବାକୁ ଆହ୍ୱାନ ଦେଇ ଜିଲ୍ଲାର କେହି ଜଣେ ବି ଯୋଗ୍ୟ ଲୋକ ଯେପରି ବାଦ ନପଡ଼ିବେ ସେଥିପାଇଁ ବିଶେଷ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ତତ୍ ସହିତ ତରଭା ଅଞ୍ଚଳରେ ଏହି ଫାଇଲେରିଆ ସଂକ୍ରମଣ ବିଶେଷ ରହିଥିବାରୁ ଅଂଚଳରେ ସମସ୍ତ ଯୋଗ୍ୟ ବ୍ୟକ୍ତି ଏହି ସାମୁହିକ ଔଷଧ ସେବନ କରି କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସଫଳ କରିବାକୁ ଅନୁରୋଧ କରିଛନ୍ତି । ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ. ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଗୁରୁତ୍ୱ ଉପରେ ସୂଚନା ପ୍ରଦାନ କରିଥିଲେ । ରୋଗର ଲକ୍ଷଣ, ନିରାକରଣ ଓ ପ୍ରତିଷେଧକ ବ୍ୟବସ୍ଥା ଉପରେ ଡ. ସ୍ୱାଇଁ ସୂଚୀତ କରିଥିଲେ । ଏହି ଔଷଧ ସେବନ ଦ୍ୱାରା କୌଣସି ବି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ସ୍ପଷ୍ଟ କରିବା ସହ ସମସ୍ତ ଯୋଗ୍ୟ ବ୍ୟକ୍ତି ସମ୍ପୃକ୍ତ ନିଜ ନିଜ ଅଂଚଳରେ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ନିଶ୍ଚିତ ଭାବେ ଔଷଧ ଖାଇବାକୁ କହିଛନ୍ତି । ଆମ ଜିଲ୍ଲାରେ ଅଗଷ୍ଟ ୧୦ରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲୁରହିବ । ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ସଭାପତି ନବଜ୍ୟୋତି କ୍ଲବ ତରଭା, ଅଙ୍ଗନୱାଡି କର୍ମୀ, ଆଶା ଦିଦି, ବିଭାଗୀୟ ଅଧିକାରୀ, ଜିଲ୍ଲାର ବରିଷ୍ଠ ଅଧିକାରୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ସାମୁହିକ ଔଷଧ ସେବନ କରିଥିଲେ । ଡିପିଏମ୍ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂଯୋଜକ ଫାଇଲେରିଆ ଜବକିମ୍ସନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଚନ୍ଦ୍ରଶେଖର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଅତିଥି ବୃନ୍ଦ ସାମୁହିକ ଔଷଧ ସେବନ କରିଥିବା ବେଳେ ୨ ଜଣ ଶିଶୁଙ୍କୁ ଅତିଥି ବୃନ୍ଦ କୃମିନାଶକ ଔଷଧ ସେବନ କରାଇଥିଲେ ।