ଦୀର୍ଘ ୩୦ ଘଣ୍ଟା ପରେ ମିଳିଲା ସାଗରରେ ନିଖୋଜ ବାପାଙ୍କ ମୃତଦେହ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବୋରିଙ୍ଗପଦରର ବୈବସୁତ ରଣା (୫୦) ମାଛ ମାରିବାକୁ ସ୍ଥାନୀୟ ସାଗରକୁ ଯାଇ ନିଖୋଜ ଘଟଣାର ପ୍ରାୟ ୩୦ ଘଣ୍ଟା ପରେ ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ଦମକଳ ବାହିନୀ ସାଗର ମଝିରୁ ବୈବସୁତଙ୍କ ମୃତଦେହକୁ ଠାବ କରିବାରେ ସଫଳ ହୋଇଥିଲା । ଏଠାରେ ପ୍ରକାଶଥାଉ କି ଗତ ବୁଧବାର ଦିନ ସକାଳ ୯ଟା ସମୟରେ କେସିଙ୍ଗା ବୋରିଙ୍ଗପଦରର ବୈବସୁତ ରଣା ନିଜ ପୁଅ ସହିତ ମାଛ ମାରିବାକୁ ସ୍ଥାନୀୟ ସାଗରକୁ ଯାଇ ଫେରି ନଥିଲେ । ସାଥିରେ ଯାଇଥିବା ତାଙ୍କ ପୁଅ କିଛି ସମୟ ଅପେକ୍ଷା କରି ବାପା ନଫେରିବାରୁ ଘରକୁ ଆସି ସବୁକଥା କହିବା ପରେ ପରିବାର ଲୋକ ଖୋଜିବାକୁ ପାଣି ଭିତରକୁ ଯାଇ ନିରାଶ ହୋଇଥିଲେ । ପରେ ବୁଧବାର ଦିବା ୧ ଘଣ୍ଟା ସମୟରେ ସ୍ଥାନୀୟ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ପାଣି ଭିତରକୁ ଯାଇ ଖୋଜାଖୋଜି କଲାପରେ ମଧ୍ୟ ସନ୍ଧ୍ୟା ୬.୩୦ଟା ପର୍ଯ୍ୟନ୍ତ ମୃତକକୁ ପାଇ ନଥିଲେ । ପୁଣି ଗୁରୁବାର ସକାଳୁ ସେହି ସାଗରକୁ ଯାଇ ଦମକଳ ବାହିନୀ ଖୋଜାଖୋଜି ଆରମ୍ଭ କରି ଶେଷରେ ଗୁରୁବାର ଅପରାହ୍ନ ପ୍ରାୟ ୪ଟା ସମୟରେ ପାଣି ଭିତରୁ ମୃତକର ଶବ ପାଇଥିଲେ ।

Leave A Reply

Your email address will not be published.