ଜୟପାଟଣା ଇନ୍ଦ୍ରାବତୀ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ବିକାଶ ଶିବିର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଇନ୍ଦ୍ରାବତୀ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଏନ୍‌ଏସ୍‌ଏସ୍‌ ଆନୁକୁଲ୍ୟରେ ତ୍ରିଦିବସୀୟ ଯୁବ ନେତୃତ୍ୱ ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ୧୩ଟି ମହାବିଦ୍ୟାଳୟରୁ ୧୦୦ରୁ ଅଧିକ ଶିବିରାର୍ଥୀ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶିବିରରେ ବିଭିନ୍ନ ବିନ୍ଦୁ ଉପରେ ଆଲୋଚନା ରଖିବା ପାଇଁ ପାରଦର୍ଶିତା ସମ୍ପନ୍ନ ବ୍ୟକ୍ତିତ୍ଵ ମାନଙ୍କ ସହଯୋଗ ନିଆଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣବତ୍ତାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ପୁରସ୍କୃତ କରାଯାଇଥିଲା । ଶିବିରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ଉଚ୍ଚକୋଟୀର ହୋଇ ପାରିଥିଲା । ଶିବିରର ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଏନ୍‌ଏସ୍‌ଏସ୍‌ ସଂଯୋଜକ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ସହିତ ଏନ୍‌ଏସ୍‌ଏସ୍‌ ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ପ୍ରମୁଖ ପ୍ରିୟବ୍ରତ ବଣୁଆ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷା ବୈଦ୍ୟନାଥ ପାଢ଼ୀ ସଭାପତିତ୍ୱ କରିଥିଲେ । ତିନିଦିନ ଧରି ଚାଲିଥିବା ଏହି ଶିବିରର ଉଦ୍‌ଯାପନୀ ଉତ୍ସବରେ ଶ୍ରୀଯୁକ୍ତ ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ଜୟପାଟଣା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ପ୍ରଭାକର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଶିବିରାର୍ଥୀ ମାନେ ରାଷ୍ଟ୍ରୀୟ କର୍ତ୍ତବ୍ୟରେ ନିଜକୁ ସାମିଲ କରିବା ପାଇଁ ଆହ୍ୱାନ ଦେଇଥିଲେ । ସାମ୍ବାଦିକ ଅଶ୍ରଫ ଅଲ୍ଲୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଅଧ୍ୟାପକ ସାକେତ ବିହାରୀ ବେହେରା ଶିବିର ପରିଚାଳନା କରିଥିବା ବେଳେ ଅଧ୍ୟାପକ ମାନସ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.