ଜଳବନ୍ଦୀରେ ଏବେ ସଂକ୍ରମିତ ଗାଁ ଟିଙ୍ଗୋପଖାନ : ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଞ୍ଚିଲା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଟିଙ୍ଗୋପଖାନ ଗ୍ରାମରେ ଗତ ୩ ଦିନ ଧରି ଗାଁରେ ଝାଡ଼ାବାନ୍ତି ଲାଗି ରହିଥିବା ବେଳେ ଅଦ୍ୟାବଧି ୩୧ଜଣ ସଂକ୍ରମିତଙ୍କୁ ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ ୫ ଜଣଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସଂକ୍ରମଣ ବଢ଼ିଚାଲି ଥିବା ଦେଖି ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଗୋଟିଏ ଟିମ୍ ଅସ୍ଥାୟୀ ଶିବିର କରି ଗ୍ରାମରେ ରହିଥିବା ସୂଚନା ମିଳିଛି । ଗତ ସୋମବାର ଦିନ ଜିଲ୍ଲା ଚିକିତ୍ସାଳୟର ଗୋଟିଏ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କୁ ସଚେତନ କରିବା ସହିତ ବ୍ଲିଚିଂ, ହେଲୋଜେନ୍, ଓଆର୍‌ଏସ୍‌, ମେଟ୍ରନ ଆଦି ବଣ୍ଟନ କରିଥିବା ଜଣାପଡିଛି । ମଙ୍ଗଳବାର ପୁଣି ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ସ୍ଵାସ୍ଥ୍ୟ ଅଧିକାରୀ ଶୁଭ୍ରଜିତ୍ ବିଶ୍ଵାଳ ଏକ ଟିମ୍ ସହିତ ଘଟଣାସ୍ଥଳକୁ ଯାଇ ପ୍ରଭାବିତ ମାନଙ୍କୁ ଭେଟିବା ସହ ସ୍ଵାସ୍ଥ୍ୟ ସଚେତନ ଉପରେ ଅବଗତ କରାଇ ଥିଲେ । ମଙ୍ଗଳବାର ଅପରାହ୍ନରେ ପ୍ରବଳ ବର୍ଷା ହେବା ଫଳରେ ଜରିଗୁମାରୁ ଟିଙ୍ଗୋପାଖାନକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ମଧ୍ୟରେ ରହିଥିବା ଗାଈଧାର ନଦୀ ପୋଲ ଉପରେ ୩ ଫୁଟ୍‌ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ପ୍ରଭାବିତ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ଫଳରେ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କୌଣସି ଜରୁରୀକାଳୀନ ସ୍ଥିତି ଉତ୍ପନ୍ନ ହେଲେ ପରିସ୍ଥିତି ଉଦ୍‌ବେଗ ଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.