ଶୋଷ ମେଣ୍ଟାଉଛି ନାଳ ପାଣି

ନୂଆପଡା, (ଅଜିତ ବେହେରା) : ଗାଁ ନାଆଁ ବରପଦର୍, ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ନାଗପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭୂଇଁପାଣି ଗ୍ରାମର ଏହା ଏକ ପଡ଼ା ଗ୍ରାମ । ବୋଡ଼େନ ଠାରୁ ୨୫ କିଲୋମିଟର ଜଙ୍ଗଲ ରାସ୍ତାରେ ଗଲେ ପଡ଼େ ବରପଦର ଗାଆଁ । ଗାଁରେ ରହନ୍ତି ୨୮ଟି ଆଦିବାସୀ ପରିବାର । ସମସ୍ତଙ୍କ ଚାଳ କୁଡିଆ ଘର । କୁଲି ମଜୁରୀ କରି ସମସ୍ତେ ପେଟ ପୋଷନ୍ତି । ଗାଁରେ ପାନୀୟ ଜଳର ଉତ୍କଟ ସମସ୍ୟା । ଖରା ମାସରେ ସବୁଆଡେ ପାନୀୟ ଜଳ ସମସ୍ୟା ହୋଇଥିବା କଥା ଆମେ ଜାଣୁ । ବରପଦର ଗାଆଁରେ କିନ୍ତୁ ବର୍ଷ ତମାମ ପାଣି ସମସ୍ୟା । ଗାଁରେ ଦୁଇଟି ନଳକୂପ ଅଛି । କିନ୍ତୁ ଏହାର ପାଣି ପାନୀୟ ଉପଯୋଗୀ ନୁହଁ । ପାଣିର ରଙ୍ଗ କିଛି ସମୟ ପରେ ନାଲି ପାଲଟି ଯାଏ । ଏପରିକି ପିନ୍ଧିଥିବା ବସ୍ତ୍ରରେ ଲାଗିଲେ ବସ୍ତ୍ରର ରଙ୍ଗ ମଧ୍ୟ ନାଲି ହୋଇଯାଏ । ଗ୍ରାମବାସୀ ବାଧ୍ୟ ହୋଇ ନିକଟସ୍ଥ ଏକ ନାଳର ପାଣି ବ୍ୟବହାର କରନ୍ତି । ଏହି ନାଳଟି ଜଙ୍ଗଲ ଭିତରେ ଆସିଥିବା ବେଳେ ଅନେକ ଦୂଷିତ ପଦାର୍ଥ ସଂସ୍ପର୍ଶରେ ଆସୁଛି । ଯାହା ଲୋକଙ୍କ ସ୍ୱାସ୍ଥ୍ୟ ପକ୍ଷେ ଅନୁକୂଳ ନୁହଁ । ବର୍ତ୍ତମାନ ବର୍ଷା ଋତୁ ଚାଲୁ ଥିବାରୁ ଏହି ପାଣି ପିଇବା ଦ୍ଵାରା ଡାଇରିଆ ହେବାର ସମ୍ଭାବନା ରହିଛି । ତଥାପି କୌଣସି ବିକଳ୍ପ ନଥିବାରୁ ଲୋକେ ଏହି ନାଳ ପାଣିକୁ ପିଉଛନ୍ତି । ଅତିଶୀଘ୍ର ସେମାନଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ବୋଡ଼େନ ବିଡ଼ିଓ ପ୍ରିୟରଞ୍ଜନ କୁମାରଙ୍କୁ ପଚାରିବାରୁ ନଳକୂପ ପାଣିର ମାନ ପରୀକ୍ଷା କରି ପାନୀୟ ଉପଯୋଗୀ କରାଯିବ ଓ ନିୟମ ଅନୁସାରେ ପାଇପ ଯୋଗେ ପାଣି ଯୋଗାଣର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.