ଜୟପାଟଣା ଅଞ୍ଚଳରେ ବଡ଼ ଧରଣର ଅବକାରୀ ଚଢ଼ାଉ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳରେ ବେଆଇନ ଦେଶୀ ହାତରନ୍ଧା ମଦର କାରବାର ବଢ଼ି ଚାଲିଥିବା ବେଳେ ଶୁକ୍ରବାର ସକାଳୁ ଅବକାରୀ ବିଭାଗର ଏକ ବଡ଼ ଧରଣର ଚଢ଼ାଉ ହେବା ଫଳରେ ୫୦୦୦କେଜି ମହୁଲ ପୋଚ ସହ ୩୦୦ଲିଟର ହାତରନ୍ଧା ମଦ ନଷ୍ଟ କରିଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲାର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦୁର୍ଯ୍ୟୋଧନ ଦିଗାଲଙ୍କ ନେତୃତ୍ୱରେ ଜୟପାଟଣା ସବ୍ ଇନ୍ସପେକ୍ଟର ନରେନ୍ଦ୍ର ମିଞ୍ଜ ଓ ଜୟପାଟଣା ଥାନାର ସହାୟତାରେ ବର୍ଷତମାମ ଅବାଧ ମଦରନ୍ଧା ଚାଲିଥିବା ଜୟପାଟଣା ବ୍ଲକ ଅନ୍ତର୍ଗତ ତୁମୁରୀ ଖୋଲ ଗ୍ରାମର ନିଘଞ୍ଚ ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା । ଏହି ଚଢାଉ ବେଳେ ୫୦୦୦କେଜି ମହୁଲ ପୋଚ ସହ ୩୦୦ଲିଟର ହାତରନ୍ଧା ମହୁଲି ମଦକୁ ମଧ୍ୟ ନଷ୍ଟ କରାଯାଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି । ଏତେ ବଡ଼ ଚଢ଼ାଉ ପରେ ମଧ୍ୟ ଅଭିଯୁକ୍ତ ମାନେ ଅକ୍ଲେଶରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଖସି ପଳାଇ ଥିବା ସୂଚନା ମିଳିଛି । ଜୟପାଟଣାର ଅନେକ ପାହାଡି କ୍ଷେତ୍ରରେ ଏଭଳି ବେଆଇନ ମଦ ତିଆରି ଚାଲିଥିବା ବେଳେ ଅବକାରୀ ବିଭାଗ ସେମାନଙ୍କ ଉପରେ ଅଙ୍କୁଶ ଆଣିବାରେ ବିଫଳ ହେଉଥିବା ଆଲୋଚନା ହେଉଛି ।

jittmm
Leave A Reply

Your email address will not be published.