ରବି ପଣ୍ଡା ତୃତୀୟ ଥର ପାଇଁ ଫୁଟବଲ୍‌ ଏସୋସିଏସନ୍‌ ଅଫ୍‌ ଓଡ଼ିଶାର ଉପସଭାପତି ଭାବରେ ନିର୍ବାଚିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା କ୍ରୀଡା ସଂସଦର ଇଣ୍ଡୋର ଗେମ୍ସ ସମ୍ପାଦକ ତଥା କ୍ରୀଡା ସଂଗଠକ ରବି ପଣ୍ଡା ଫୁଟବଲ ଏସୋସିଏସନ୍‌ ଅଫ୍‌ ଓଡ଼ିଶା (ଫାଓ)ର ଉପସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଆଜି କଟକ ବାରବାଟି ଷ୍ଟାଡିୟମ୍‌ର କନ୍‌ଫରେନ୍ସ ହଲ୍‌ରେ କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପରିଚାଳନାରେ ଫୁଟବଲ ଏସୋସିଏସନ୍‌ ଅଫ ଓଡ଼ିଶା (ଫାଓ)ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ନିର୍ବାଚନରେ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ଶ୍ରୀ ପଣ୍ଡା ଲଗାତାର ତୃତୀୟ ଥର ପାଇଁ ଫାଓର ଉପସଭାପତି ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ପଣ୍ଡାଙ୍କୁ ଏଥି ପାଇଁ ଜିଲ୍ଲା କ୍ରୀଡା ସଂସଦ ଓ ଜିଲ୍ଲା କ୍ରିକେଟ୍‌ ଏସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ଓ ଜିଲ୍ଲାର କ୍ରୀଡାବିତ୍ ମାନେ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କୁ ପୁଣିଥରେ ସୁଯୋଗ ଦେଇଥିବାରୁ ଶ୍ରୀ ପଣ୍ଡା ଫାଓର ସାଧାରଣ ସମ୍ପାଦକ ଆଶୀର୍ବାଦ ବେହେରା, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ବରଗଡ ଜିଲ୍ଲା କ୍ରୀଡା ସଂସଦ ଓ ଜିଲ୍ଲା କ୍ରିକେଟ୍‌ ଏସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ତଥା ଜିଲ୍ଲାର କ୍ରୀଡାବିତ୍‌ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

Leave A Reply

Your email address will not be published.