jayashree

ଭତ୍ତା ନେବାକୁ ଆସି ବୃଦ୍ଧ ବେହୋସ୍‌ : ବାରମ୍ବାର ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାମାଜିକ ସୁରକ୍ଷାରେ ସାମିଲ ହୋଇଥିବା ବୃଦ୍ଧବୃଦ୍ଧା ମାନଙ୍କ ଘରକୁ ଭତ୍ତାଟଙ୍କା ପହଞ୍ଚାଇବା ବ୍ୟବସ୍ଥା ଥିବାବେଳେ ବଲାଙ୍ଗିର ଜିଲ୍ଲାରେ ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ୨୦୧୯ ମସିହାରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଞ୍ଚଳରେ ଭତ୍ତା ପାଇଁ ଜଣେ ବୃଦ୍ଧ ଲାଇନରେ ଠିଆ ହୋଇଥିବା ସମୟରେ ଟଳିପଡି ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ସେହିପରି ବୌଦ୍ଧ ଜିଲ୍ଲା ବାଉଁସୁଣୀ ଅଞ୍ଚଳରେ ଭତ୍ତା ଟଙ୍କା ଉଠାଇବା ପାଇଁ ଜଣେ ବୃଦ୍ଧ ଚାଲିକି ଯାଉଥିବା ସମୟରେ ଗୋଟିଏ ବାଇକ୍‌ ଧକ୍କାରେ ତାଙ୍କମୃତ୍ୟୁ ହୋଇଥିଲା । ଠିକ୍‌ ସେହିପରି ଗତବର୍ଷ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଚୁଦୋଭଟ୍ଟା ଗାଁର ଜଣେ ବୃଦ୍ଧ ବ୍ୟାଙ୍କକୁ ଭତ୍ତାଟଙ୍କା ନେବା ପାଇଁ ଆସି ବାଟରେ ବେହୋସ୍‌ ହୋଇଥିବା ଦେଖିବାକୁ ମିଳିଥିଲା । ଏହିପରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଟଣା ଘଟୁଥିବାରୁ ସରକାର ବୃଦ୍ଧବୃଦ୍ଧା ମାନଙ୍କ ଘରକୁଯାଇ ଟଙ୍କା ଦେବା ନିୟମ କଡାକଡି କରିଥିଲେ ସୁଦ୍ଧା ସରକାର ବଦଳିଲା ପରେ ନିୟମକୁ ଫୁ କରିଦେଇଛନ୍ତି ପ୍ରଶାସନ । ପୁଣି ଜଣେ ବୃଦ୍ଧ ଭତ୍ତାଟଙ୍କା ବ୍ୟାଙ୍କକୁ ନେବାକୁ ଆସି ଅଚେତ ହୋଇ ପଡିଛନ୍ତି । ଘଟଣା ଘଟିଛି ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳରେ । ସୂଚନା ଅନୁଯାୟୀ ଟଙ୍କପାଣି ଗ୍ରାମପଞ୍ଚାୟତ ବୁଢାଛାପର ଗାଁର ବୃଷଭ ବିଶ୍ୱାଳଙ୍କ ଭତ୍ତାଟଙ୍କା ବ୍ୟାଙ୍କଖାତାରେ ପଡୁଥିବାରୁ ଅଟୋ ଯୋଗେ ଲାଠୋର ସେଣ୍ଟ୍ରାଲ ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଆସିଥିଲେ । ଅଟୋରୁ ଓହ୍ଲାଇ ବ୍ୟାଙ୍କକୁ ଆସିଲା ବାଟରେ ବୃଦ୍ଧ ଜଣକ ବେହୋସ୍‌ ହୋଇ ପଡିଯାଇଥିଲେ । ସେଇଠି ଉପସ୍ଥିତ ଥିବା ସ୍ଥାନୀୟ ଯୁବକଙ୍କ ସହାୟତାରେ ବୃଦ୍ଧଙ୍କୁ ଉଠାଇ ପାଣି ଛିଞ୍ଚିବା ପରେ ବୃଦ୍ଧ ସୁସ୍ଥ ଅନୁଭବ କରିଥିଲେ । ଏଠାରେ ପ୍ରଶ୍ନଉଠୁଛି ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ପ୍ରଶାସନ ବୃଦ୍ଧବୃଦ୍ଧା ମାନଙ୍କ ପ୍ରତି ଦୟାଦେଖାଉ ନାହାନ୍ତି କାହିଁକି ? ଏଣୁ ବୃଦ୍ଧବୃଦ୍ଧା ମାନଙ୍କ ବ୍ୟାଙ୍କଖାତାରେ ଭତ୍ତା ନପକାଇ ତାଙ୍କୁ ଘରେ ଭତ୍ତା ଦେବାପାଇଁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଜନସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.