ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା ସମ୍ପର୍କୀତ ଦୁଇଦିନିଆ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ‘ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା’ ଶୀର୍ଷକ ଦୁଇଦିନିଆ ଆନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‌ଯାପିତ ହୋଇଯାଇଛି । ଜୁଲାଇ ୪ ଓ ୫ ଦୁଇଦିନ ଧରି ଆୟୋଜିତ ଏହି ଆଲୋଚନା ଚକ୍ରର ଉଦ୍‌ଯାପନୀ ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ୍‌ ତଥା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଏବଂ ରାଉରକେଲା ଆଇନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଦେବେନ୍ଦ୍ରନାଥ ବେହେରା ଯୋଗ ଦେଇଥିଲେ । ଡ. ବେହେରା ତାଙ୍କ ବକ୍ତବ୍ୟରେ ଏହିଭଳି ଆଲୋଚନା ଚକ୍ର ମାଧ୍ୟମରେ ଉଭୟେ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଅନେକ ନୂତନ ତଥ୍ୟ ଓ ସୂଚନା ସମ୍ପର୍କରେ ଜାଣିବାକୁ ସୁଯୋଗ ପାଇବା ଏକ ଉତ୍ତମ ପଦକ୍ଷେପ ବୋଲି କହିଥିଲେ । ସବୁବେଳେ କିଛି ନୂତନ ଜାଣିବା ନିମନ୍ତେ ଉଭୟେ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଅନିସନ୍ଧିତ୍ସୁ ରହିଲେ ଶିକ୍ଷାର ବିକାଶ ହୋଇପାରିବ ବୋଲି ଡ. ବେହେରା ମତ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରା ସଭାରେ ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ମାୟାଧର ବାରିକ ଦୁଇଦିନ ଧରି ଆୟୋଜିତ ଆଲୋଚନା ଚକ୍ରର ନିର୍ଯ୍ୟାସ ସମ୍ପର୍କରେ ସୂଚନା ଦେଇଥିଲେ । ବିଭାଗୀୟ ଅଧ୍ୟାପକ ଧିରେନ କୁମାର ମହନ୍ତଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦୁଇଦିନ ଧରି ହୋଇଥିବା ଆଲୋଚନାରେ ସନ୍ଦର୍ଭ ଉପସ୍ଥାପନ କରିଥିବା ସମସ୍ତ ପ୍ରତିଭାଗୀଙ୍କୁ ମାନପତ୍ର ପ୍ରଦାନ ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଦୁଇଦିନ ଧରି ହୋଇଥିବା ଏହି ଆଲୋଚନା ଚକ୍ରରେ ମୋଟ ୪ଟି ବୈଷୟିକ ସମ୍ପାନ ମାଧ୍ୟମରେ ୨୫ରୁ ଅଧିକ ସନ୍ଦର୍ଭ ଉପସ୍ଥାପିତ ହେବା ସହ ଆଲୋଚିତ ହୋଇଥିଲା । ଏଥିରେ ବିଶେଷ ଅତିଥି ଓ ପ୍ରସଙ୍ଗଭିତ୍ତିକ ସନ୍ଦର୍ଭ ଉପାସ୍ଥାପକଙ୍କ ମଧ୍ୟରେ ନେପାଳର ତ୍ରିଭୂବନ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଭାରତ ସିଂହ ଥାପ୍ପା ଆଭାଷୀ ମାଧ୍ୟମରେ ଯୋଗ ଦେଇଥିଲେ । ଏହା ସହିତ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ମଧ୍ୟପ୍ରାଚ୍ୟ ଦେଶ ବାହାରିନ୍‌ର ବାହାରିନ ବିଶ୍ୱବିଦ୍ୟାଳୟର ପ୍ରଫେସର ଶଶିକାନ୍ତ ତ୍ରିପାଠୀ, ରାଉରକେଲା ସ୍ଥିତ ରିମ୍‌ସ ନିର୍ଦ୍ଦେଶକ ଡ. କରୁଣାକର ପାତ୍ରଙ୍କ ଅନେକ ଶିକ୍ଷାବିତ୍‌ ଓ ଛାତ୍ରଛାତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ଉପାଦେୟ ସନ୍ଦର୍ଭମାନ ଉପସ୍ଥାପନ କରିଥିଲେ । ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.