ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ବରଂ ସେ କେଉଁ ପ୍ରକାରର ଜୀବନଯାପନ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । ଅର୍ଥାତ୍ ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ ଆଧାର କରି ତାଙ୍କର ଖ୍ୟାତିର ମୂଲ୍ୟାଙ୍କନ କରାଯାଏ । ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ କେତେ ଭଲ କାମ କରିଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ରାଷ୍ଟ୍ରପତି କହିଥିଲେ । ସମାଜସେବା, ସାହିତ୍ୟ, ଶିକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି କହିବା ସହ ଶ୍ରୀମତୀ ମୁର୍ମୁ ଏହି ଅବସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଷ୍ଟ୍ରପତି କହିଥିଲେ ଯେ, ପଣ୍ଡିତ ଗୋପବନ୍ଧୁ ଦାସ ଭଲ ଭାବରେ ଜାଣିଥିଲେ ଯେ, ଉପଯୁକ୍ତ ଶିକ୍ଷା ବିନା କୌଣସି ସମାଜ କିମ୍ବା ରାଷ୍ଟ୍ର ପ୍ରଗତି କରିପାରିବ ନାହିଁ । ସେଥିପାଇଁ ସେ ପୁରୀ ଜିଲ୍ଲାର ସତ୍ୟବାଦୀଠାରେ ମୁକ୍ତାକାଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ଯାହାକୁ ବନ ବିଦ୍ୟାଳୟ ମଧ୍ୟ କୁହାଯାଏ । ପ୍ରାରମ୍ଭିକ ଅବସ୍ଥାରୁ ତାଙ୍କର ଛାତ୍ରଛାତ୍ରୀଙ୍କୁ ପ୍ରକୃତି ସହ ପରିଚିତ କରାଇବା ଆଭିମୁଖ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପଣ୍ଡିତ ଗୋପବନ୍ଧୁ ବନ ବିଦ୍ୟାଳୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ତାଙ୍କ ମତରେ ଶିକ୍ଷାର ଅର୍ଥ କେବଳ ପୁସ୍ତକ ଭିତ୍ତିକ ଜ୍ଞାନ ନୁହେଁ ବରଂ ଶିକ୍ଷାର ଅର୍ଥ ଛାତ୍ରଛାତ୍ରୀଙ୍କୁ ଶାରୀରିକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ଭାବରେ ବିକଶିତ କରିବା । ରାଷ୍ଟ୍ରପତି କହିଥିଲେ ଯେ, ୧୯୧୯ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ ସମାଜ ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ । ଏହି ପ୍ରକାଶନ ମାଧ୍ୟମରେ ସେ ଓଡ଼ିଶାରେ ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରିଥିଲେ । ଏହି ଖବରକାଗଜ ଜରିଆରେ ସେ ଲୋକଙ୍କ ସମସ୍ୟା ମଧ୍ୟ ଉଠାଇଥିଲେ । ସମାଜରେ ତାଙ୍କର ସମ୍ପାଦକୀୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି । ରାଷ୍ଟ୍ରପତି ଆହୁରି କହିଥିଲେ ଯେ, ପଣ୍ଡିତ ଗୋପବନ୍ଧୁ ଦାସ ଜାତୀୟତାବାଦ ଓ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ କରୁଥିଲେ । ତାଙ୍କର କବିତା ଓ ଗଦ୍ୟ ଦେଶପ୍ରେମ ଓ ବିଶ୍ୱ କଲ୍ୟାଣର ବାର୍ତ୍ତା ଦେଇଥାଏ । ସେ ଓଡ଼ିଆ ଗୌରବ ତଥା ଭାରତୀୟ ଜାତୀୟତାବାଦ ପ୍ରତି ଉତ୍ସର୍ଗୀକୃତ ଥିଲେ । ପଣ୍ଡିତ ଗୋପବନ୍ଧୁ ଲେଖିଥିଲେ ‘ମୁଁ ଭାରତରେ ଯେଉଁଠି ବି ଥାଏ ମୁଁ ଘରେ ଅଛି ବୋଲି ବିଶ୍ୱାସ କରିବା ଉଚିତ୍ ।’ ଗୋପବନ୍ଧୁଙ୍କ ଏହି ସର୍ବଭାରତୀୟ ଚିନ୍ତାଧାରାରୁ ପ୍ରେରଣା ନେବା ଉଚିତ୍‌ ବୋଲି ରାଷ୍ଟ୍ରପତି କହିଥିଲେ ।

Leave A Reply

Your email address will not be published.