ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ବୁଧବାର ଠାରୁ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ୯ ମାସ ପରେ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲିଛି । ଫଳରେ ପ୍ରଥମ ଦିନରେ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାରା ପର୍ଯ୍ୟନ୍ତ ଗୋଟିଏ ପଟେ ପ୍ରବେଶ ଓ ଗୋଟିଏ ପଟେ ପ୍ରସ୍ଥାନ ବ୍ୟବସ୍ଥା ହୋଇଥିବା ବେଳେ ପୂର୍ବ ନିଷ୍ପତ୍ତି ଅନୁଯାୟୀ କେବଳ ଆଡକାଠ ନିକଟରୁ ଦର୍ଶନ ଅନୁମତି ଦିଆଯାଇଛି । ଅନ୍ୟପଟେ ୬ ତାରିଖରୁ ଆଉ କୋଭିଡ୍ ନେଗେଟିଭି ସାର୍ଟିଫିକେଟ୍ ଆବଶ୍ୟକ ନାହିଁ ବୋଲି କୁହାଯାଇଛି । କେବଳ ଥର୍ମାଲ ସ୍କ୍ରିନିଂ ପରେ ସମସ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦିଆଯିବ । ଥର୍ମାଲ ସ୍କ୍ରିନିଂ ସମୟରେ ଯଦି କାହାଠାରେ କୋଭିଡ୍ ଲକ୍ଷଣ ଦେଖାଦିଏ ତେବେ ତାଙ୍କର ପରୀକ୍ଷା କରାଯିବ ବୋଲି ବିଏମ୍ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ସୂଚନା ଦେଇଛନ୍ତି । ମନ୍ଦିର ଖୋଲିବାଠାରୁ ୫ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଥିବା ବେଳେ ୬ ତାରିଖଠାରୁ ଏହି ନିୟମରେ କୋହଳ କରାଯିବ ବୋଲି ପ୍ରକାଶ ପାଇଛି । ବର୍ତ୍ତମାନ ଠାରୁ ସମସ୍ତେ ମନ୍ଦିର ଦର୍ଶନ କରିପାରିବେ ।
Next Post