ବର୍ଷାରେ ଭିଜିଲା ପାରମ୍ପରିକ ମଣ୍ଡେଇ ଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳର ଇଷ୍ଟଦେବୀ ମା’ ଡୋକରିଙ୍କ ପାରମ୍ପରିକ ମଣ୍ଡେଇ ଯାତ୍ରା ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଯାଇଛି । କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ କୃଷି ଓ କୃଷକର ମଙ୍ଗଳ କାମନା ସହିତ ମୌସୁମୀ ଉତ୍ତମ ବର୍ଷାର ଲକ୍ଷ୍ୟ ରଖି ଅଞ୍ଚଳର ଆରାଧ୍ୟାଙ୍କୁ ଏକ ବ୍ୟାପକ ସମାଗମ ମଧ୍ୟରେ ବିଭିନ୍ନ ଦେବାଦେବୀଙ୍କୁ ଆମନ୍ତ୍ରଣ କରାଯାଇ ଏହି ପର୍ବ ଆୟୋଜନ କରାଯାଇଥାଏ । ମା’ ଡୋକରିଙ୍କ ଜୟପାଟଣା ସ୍ଥିତ ସିଦ୍ଧପୀଠରେ ପୂଜାଅର୍ଚ୍ଚନା ପୂର୍ବକ ପାର୍ଶ୍ଵବର୍ତ୍ତୀ ବିଭିନ୍ନ ଦେବାଦେବୀଙ୍କ ମହାସଙ୍ଗମ ହୋଇଥାଏ । ଦେବୀମାନେ ନିଜର ପ୍ରତୀକ ଲାଠି ସାଙ୍ଗରେ ଶ୍ରଦ୍ଧାଳୁମାନେ ନିଜର ପାରମ୍ପରିକ ବାଦ୍ୟ ସାଙ୍ଗରେ ମାଆଙ୍କ ପୀଠରେ ପହଞ୍ଚିବା ପରେ ସମସ୍ତ ଦେବାଦେବୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥାଏ । ଚଳିତ ବର୍ଷ ତାଳଗୁଡ଼, ପ୍ରତାପପୁର, ଧନସୁଳି, କରଞ୍ଜିଗୁଡା, ମହିପାଣି, ବାନେର, ପାଇକବାହଲ, ଜୟପାଟଣା ଆଦି ସ୍ଥାନରୁ ଲାଠି ପହଞ୍ଚିବା ସହିତ ତିନୋଟି ସ୍ଥାନରୁ କଣ୍ଟାଯୁକ୍ତ ସିଂହାସନ ମାନଙ୍କରେ କାଲିଶି ମାନେ ପହଞ୍ଚିଥିଲେ । ସମସ୍ତ ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା ପରେ ସମସ୍ତେ ନଗର ପରିକ୍ରମା କରି ସମସ୍ତଙ୍କର ନିରୋଗ ଜୀବନ, ସମୃଦ୍ଧ କୃଷି ପାଇଁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଆଶୀର୍ବାଦ ଭିକ୍ଷା କରିଥିଲେ । କୃଷି, କୃଷକ, ସମୃଦ୍ଧି ଓ ସଂକ୍ରମଣରୁ ମୁକ୍ତି ପାଇଁ ଏହି ପର୍ବ ଉତ୍ସର୍ଗ ଥିବାବେଳେ ଆରମ୍ଭରୁ ମୌସୁମୀ ବର୍ଷା ଶ୍ରଦ୍ଧାଳୁଙ୍କ ବିଶ୍ୱାସକୁ ଦ୍ଵିଗୁଣିତ କରିଛି । ଅନ୍ତିମବେଳାରେ ମାନସିକଧାରୀ ମାନଙ୍କ ଦ୍ଵାରା ଛାଗ ବଳି ଅର୍ପଣ କରାଯାଇ ତନ୍ତ୍ର ପୀଠରେ ଉପସ୍ଥିତ ଥିବା ସମସ୍ତ ଦେବାଦେବୀଙ୍କୁ ତୃପ୍ତ କରାଯାଇଥିଲା । ଏହି ପର୍ବ ମହୁଲ ପାଟଣା ଜମିଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କରାଯାଉଥିବା ବେଳେ ଅନେକ ସ୍ୱେଚ୍ଛସେବୀ ସହଯୋଗ କରିଥିଲେ ।

Leave A Reply

Your email address will not be published.