ସୂଚନା ଓ ଲୋକସମ୍ପର୍କ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ବିଷୟରେ ଅବଗତ ହେଲେ ମୁଖ୍ୟମନ୍ତ୍ରୀ

  • ସରକାରଙ୍କ ବିକାଶ ଓ କଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାନ୍ତୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ଅତିଥି ଭବନ ଠାରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭେଟି ବିଭାଗୀୟ କାର୍ଯ୍ୟାବଳୀ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଆଲୋଚନାରେ ବିଭାଗ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ସମେତ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ନିଆଯାଉଥିବା ପଦକ୍ଷେପ, ବଜେଟ୍‌ ବ୍ୟବସ୍ଥା, ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟକୁ ଅଧିକ ସୁଦୃଢ କରିବା, ସାମାଜିକ ଗଣମାଧ୍ୟମ ତଥା ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ଲୋକଙ୍କ ସରକାର ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପ୍ରତିପାଦିତ ହୋଇଥିବା ନୂଆ ସରକାରରେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଓ କଲ୍ୟାଣକାରୀ ଯୋଜନା ଗୁଡିକ ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ଵ ଦେବାସହ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଖାଲି ପଡ଼ିଥିବା ପଦବୀ ଗୁଡ଼ିକ ଶୀଘ୍ର ପୂରଣ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଆରୋପ କରିଥିଲ । ବୈଠକରେ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁରବିର ସିଂ, ଅର୍ଥ ପରାମର୍ଶ ଦାତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.