ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସିକିଲ୍ ସେଲ୍ ରୋଗ ଉପରେ ସଚେତନତା ସୃଷ୍ଟି ନିମନ୍ତେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

  • ତୃଣମୂଳ ସ୍ତରରେ ସମନ୍ୱିତ ପ୍ରୟାସ ମାଧ୍ୟମରେ ଦେଶବ୍ୟାପୀ ସଚେତନତା ସୃଷ୍ଟି ଏବଂ ସ୍କ୍ରିନିଂ ଅଭିଯାନ ଆରମ୍ଭ କରି ଭାରତରୁ ସିକଲ୍ ସେଲ୍ ରୋଗର ମୂଳୋତ୍ପାଟନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ଜୁଏଲ ଓରାମ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ୨୦୪୭ ସୁଦ୍ଧା ଭାରତ ନିଶ୍ଚିତ ଭାବରେ ଦେଶରୁ ସିକିଲ୍ ସେଲ୍ ରୋଗ ନିରାକରଣରେ ସଫଳତା ହାସଲ କରିବ: ଡି.ଡି. ଉଇକେ
  • ସମଗ୍ର ଦେଶରେ ଆୟୋଜିତ ୧୫,୦୦୦ ସ୍ୱାସ୍ଥ୍ୟ ଶିବିରରେ ପାଖାପାଖି ୪.୬ ଲକ୍ଷ ଲୋକଙ୍କୁ ପରାମର୍ଶ ଦିଆଯିବା ସହ ପ୍ରାୟ ୧.୫୩ ଲକ୍ଷ ଲୋକଙ୍କର ସ୍କ୍ରିନିଂ କରାଯାଉଛି

ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ସିକିଲ୍ ସେଲ୍ ଦିବସ ୨୦୨୪ ପାଳନ ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଏହାର ବୌଦ୍ଧିକ ସହଯୋଗୀ ଦିଲ୍ଲୀ ଏମ୍ସର ବିର୍ସା ମୁଣ୍ଡା କେନ୍ଦ୍ର ପକ୍ଷରୁ ନୂଆଦିଲ୍ଲୀଠାରେ ରକ୍ତ ଶିକୁଳି ରୋଗ ବା ସିକିଲ୍ ସେଲ୍ ଡିଜିଜ୍ (ଏସ୍‌ସିଡି) ଉପରେ ସଚେତନତା ସୃଷ୍ଟି ପାଇଁ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି । ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏସ୍‌ସିଡିର ଆନ୍ତର୍ଜାତିକ ସଂକ୍ରମଣକୁ ରୋକିବା ପାଇଁ କାର୍ଯ୍ରକ୍ରମରେ ବିଶେଷଜ୍ଞଙ୍କ ଏକ ଗୋଷ୍ଠୀ ଏକାଠି ହୋଇଥିଲେ । ଏଥିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡି.ଡି.ଉଇକେ ଉପସ୍ଥିତ ଥିଲେ । ଏହି ଦିବସରେ ଦେଶର ୧୭ଟି ରାଜ୍ୟର ୩୪୦ରୁ ଅଧିକ ଉଚ୍ଚ ଏସ୍‌ସିଡି-ସଂକ୍ରମଣ ଥିବା ଜିଲ୍ଲାରେ ୨ ସପ୍ତାହ ବ୍ୟାପୀ ସଚେତନତା ସୃଷ୍ଟି ଏବଂ ସ୍କ୍ରିନିଂ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଏହି ଅଭିଯାନର ପ୍ରଥମ ଦିନରେ, ପ୍ରାୟ ୧୫,୦୦୦ ସ୍ୱାସ୍ଥ୍ୟ ଶିବିର ସମେତ ବିଭିନ୍ନ ରାଜ୍ୟରେ ୨୫,୦୦୦ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ପାଖାପାଖି ୧୧ ଲକ୍ଷ ଲୋକ ଅଂଶଗ୍ରହଣ କରିଥିଲେ । ଏହି ବିଶାଳ ଅଭିଯାନରେ ପାଖାପାଖି ୪.୬ ଲକ୍ଷ ଲୋକଙ୍କୁ କାଉନସେଲିଂ କରାଯାଇଥିଲା, ପ୍ରାୟ ୧.୫୩ ଲକ୍ଷ ଲୋକଙ୍କର ସ୍କ୍ରିନିଂ କରାଯାଇଥିଲା ଏବଂ ୧.୬୪ ଲକ୍ଷରୁ ଅଧିକ ଏସସିଡି କାର୍ଡ ବଣ୍ଟନ କରାଯାଇଥିଲା । ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଓରାମ ଆଶ୍ୱାସନା ଦେଇଥିଲେ ଯେ, ତୃଣମୂଳ ସ୍ତରରେ ସମନ୍ୱିତ ପ୍ରୟାସ ମାଧ୍ୟମରେ ଦେଶବ୍ୟାପୀ ସଚେତନତା ସୃଷ୍ଟି ଏବଂ ସ୍କ୍ରିନିଂ ଅଭିଯାନ ଆରମ୍ଭ କରି ଭାରତରୁ ସିକିଲ୍ ସେଲ୍ ରୋଗର ମୂଳୋତ୍ପାଟନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଜୁଏଲ ଓରାମ ଗୁଜରାଟରେ ଏସ୍‌ସିଡି ନିରାକରଣ ପାଇଁ କାର୍ଯ୍ୟ କରିବାର ତାଙ୍କର ଅଭିଜ୍ଞତାକୁ ମନେ ପକାଇଥିଲେ । ବିଶେଷ କରି ପ୍ରଭାବିତ ଆଦିବାସୀ ଅଞ୍ଚଳରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହାୟତାରେ ସାମଗ୍ରିକ ଭାବରେ କାର୍ଯ୍ର କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ ସିକଲ୍ ସେଲ୍ ରକ୍ତହୀନତା ନିରାକରଣ ଅଭିଯାନରେ ଶୀର୍ଷ ବିଶେଷଜ୍ଞ ଓ ଡାକ୍ତରମାନେ ଯୋଗଦାନ ଦେବେ, କିନ୍ତୁ ତୃଣମୂଳ ସ୍ତରର କର୍ମଚାରୀଙ୍କ ଯୋଗଦାନ ଦ୍ୱାରା ହିଁ ସଫଳତା ସମ୍ଭବ ହେବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ । ସ୍ୱାସ୍ଥ୍ୟ ସେବା ପ୍ରତି ମାନବୀୟ ଆଭିମୁଖ୍ୟ ଏବଂ ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବାର ଗୁରୁତ୍ୱ ଉପରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଉଇକେ ଜୋର ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ୨୦୪୭ ସୁଦ୍ଧା ଭାରତ ନିଶ୍ଚିତ ଭାବରେ ଦେଶରୁ ସିକିଲ ସେଲ୍ ରୋଗକୁ ଦୂର କରିବାରେ ସଫଳତା ହାସଲ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ଉଦ୍‌ଘାଟନୀ ଅଧିବେଶନରେ ଆଦିବାସୀ ବ୍ୟାପାର ସଚିବ ବିଭୁ ନାୟାର କହିଥିଲେ ଯେ, ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ଅଭିଯାନ ଅଧୀନରେ କରାଯାଇଥିବା ପରୀକ୍ଷା ଅନୁଯାୟୀ ସ୍କ୍ରିନିଂ ହୋଇଥିବା ଲୋକଙ୍କ ମଧ୍ୟରୁ ୧୦% ସିକିଲ୍ ସେଲ୍ ଟ୍ରେଟ୍ ବାହକ ଏବଂ ୧% ସିକିଲ୍ ସେଲ୍ ରୋଗଗ୍ରସ୍ତ ବୋଲି ଜଣାପଡ଼ିଛି । ଅଧିକ ମାମଲା ଚିହ୍ନଟ କରିବା ଏବଂ ଆବଶ୍ୟକ ହସ୍ତକ୍ଷେପ ପ୍ରଦାନ କରିବା ପାଇଁ ମନ୍ତ୍ରଣାଳୟ ଅଧିକ ପରୀକ୍ଷା କରିବାକୁ ଯୋଜନା କରିଛି । ଅତିରିକ୍ତ ସଚିବ (ଆଦିବାସୀ ବ୍ୟାପାର) ଡ. ନବଲ ଜିତ୍ କପୁର ୨୦୪୭ ସୁଦ୍ଧା ଏସସିଡି ଉଚ୍ଛେଦ ପାଇଁ ୧୦ ବର୍ଷର ରୋଡ୍ ମ୍ୟାପ୍ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ । ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଏମ୍ ଶ୍ରୀନିବାସ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇଥିଲେ ଯେ, ବିର୍ସା ମୁଣ୍ଡା କେନ୍ଦ୍ର କେବଳ ଏସ୍‌ସିଡିର ସ୍କ୍ରିନିଂ ପାଇଁ ସମର୍ପିତ ନୁହେଁ ବରଂ ଏହା ରୋଗ ବିରୋଧରେ ଲଢ଼ିବା ପାଇଁ ଲୋକଙ୍କୁ ସଶକ୍ତ କରିବା ପାଇଁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରିଥାଏ । ଏହି ସମ୍ମିଳନୀରେ ଭାରତରେ ସିକିଲ୍ ସେଲ୍ ରୋଗ ମୁକାବିଲାର ଆହ୍ୱାନ ଉପରେ ଏକ ପ୍ୟାନେଲ ଆଲୋଚନା ହୋଇଥିଲା, ଯେଉଁଥିରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଏମ୍ସର ହେମାଟୋଲୋଜି ବିଭାଗ ଏବଂ ଏସ୍‌ସିଡି ଉପରେ ଗବେଷଣାରେ ନିୟୋଜିତ ଅନ୍ୟ ପ୍ରମୁଖ ଅନୁଷ୍ଠାନର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାମିଲ ଥିଲେ ।

Leave A Reply

Your email address will not be published.