ଟିଟିଲାଗଡ ଏଲ୍‌ଆଇସି ଅଫିସର ସିକ୍ୟୁରିଟି ଗାର୍ଡଙ୍କୁ ନିସ୍ତୁକ ମାଡ଼ : ବାଇକ, ମୋବାଇଲ ଓ ପର୍ସ ଲୁଟ କଲେ ଦୁର୍ବୃତ୍ତ

  • ଥାନାରେ ମାମଲା, ପୁଲିସର ତନାଘନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ ନଂ ଜାତୀୟ ରାଜପଥର ମାଲପଡା ଓ ଗଁରେଇ ଗ୍ରାମ ଫୁଟବଲ ପଡିଆ ନିକଟରେ ହଦହଦା ଗ୍ରାମର ବ୍ୟୋମକେଶ ମିଶ୍ର ନାମକ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କ ବାଇକ, ମୋବାଇଲ ଓ ପର୍ସ ଲୁଟ୍‌ ହୋଇଥିବା ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଏହି ଥାନା ଗରଗଡ଼ବାହାଲ ପଞ୍ଚାୟତ ହଦହଦା ଗ୍ରାମର ବ୍ୟୋମକେଶ ମିଶ୍ର ଟିଟିଲାଗଡ ଏଲ୍‌ଆଇସି ଅଫିସରେ ସିକ୍ୟୁରିଟି ଗାର୍ଡ ରୂପେ କାର୍ଯ୍ୟ କରନ୍ତି । ମଙ୍ଗଳବାର ସେ ନିଜ ଡ୍ୟୁଟି ସାରି ରାତି ୧୧ଟା ବେଳେ ନିଜର ଇଲେକ୍ଟ୍ରିକ ଓଲା ବାଇକ ନଂ ଓଡ଼ି ୦୩ ଜେଡ୯୯୧୫ ଯୋଗେ ହଦହଦା ଗ୍ରାମରେ ଥିବା ଘରକୁ ଫେରୁଥିଲେ । ୫୯ନଂ ଜାତୀୟ ରାଜପଥର ମାଲପଡା ଓ ଗଁରେଇ ଗ୍ରାମ ମଝିରେ ଥିବା ଫୁଟବଲ ପଡ଼ିଆ ନିକଟରେ ୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରି ତାଙ୍କ ବାଇକ, ସେ ଧରିଥିବା ମୋବାଇଲ ଓ ପର୍ସ ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବ୍ୟୋମକେଶ ରାତିରେ ହିଁ ଆସି ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିଲା । ଏ ସମ୍ପର୍କରେ ଥାନା କେସ ନଂ ୨୦୧/୨୪ ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.