ଜି- ୭ ଆପୁଲିଆ ଶିଖର ସମ୍ମିଳନୀ ପାଇଁ ଇଟାଲୀ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନକାଳୀନ ବକ୍ତବ୍ୟ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ, ମୁଁ ୧୪ ଜୁନ୍‌ ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୭ ଆଉଟରିଚ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଇଟାଲୀର ଆପୁଲିଆ ଅଞ୍ଚଳ ଗସ୍ତ କରୁଛି । ମୁଁ ଖୁସି ଯେ, ମୋର କ୍ରମାଗତ ତୃତୀୟ ପାଳିରେ ଜି-୭ ଶିଖର ସମ୍ମିଳନୀ ପାଇଁ ପ୍ରଥମ ଗସ୍ତ କାର୍ଯ୍ୟକ୍ରମ ଇଟାଲୀ ଗସ୍ତ କରିବା ରହିଛି । ୨୦୨୧ରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ମୋର ଇଟାଲୀ ଗସ୍ତକୁ ମୁଁ ଗଭୀର ଭାବରେ ମନେ ପକାଉଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ଦୁଇ ଥର ଭାରତ ଗସ୍ତ ଆମର ଦ୍ୱିପାକ୍ଷିକ କାର୍ଯ୍ୟସୂଚୀକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଥିଲା । ଭାରତ – ଇଟାଲୀ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ଭାରତ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଭୂମଧ୍ୟ ସାଗରୀୟ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଆଉଟରିଚ୍ ଅଧିବେଶନରେ, କୃତ୍ରିମ ବୁଦ୍ଧିମତା (ଏଆଇ), ଶକ୍ତି, ଆଫ୍ରିକା ଏବଂ ଭୂମଧ୍ୟ ସାଗରୀୟ କ୍ଷେତ୍ର ଭଳି ପ୍ରସଙ୍ଗ ଉପରେ ଆଲୋଚନାକୁ କେନ୍ଦ୍ରିତ କରାଯିବ । ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀର ଫଳାଫଳ ଏବଂ ଆଗାମୀ ଜି-୭ ଶିଖର ସମ୍ମିଳନୀର ଫଳାଫଳ ମଧ୍ୟରେ ଅଧିକ ସମନ୍ୱୟ ଆଣିବା ଏବଂ ଦକ୍ଷିଣ ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବାର ଏହା ଏକ ସୁଯୋଗ ହେବ । ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଅନ୍ୟ ନେତାମାନଙ୍କୁ ମଧ୍ୟ ଭେଟିବାକୁ ମୁଁ ଉତ୍ସାହିତ ଅଛି ।

Leave A Reply

Your email address will not be published.