ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦର ବ୍ୟାପକ ଚୋରା କାରବାର ଅଭିଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଦେଶୀମଦ ଓ ବିଦେଶୀ ମଦ ବେଆଇନ ଭାବେ ବିକ୍ରୀ କରାଯାଉଥିବା ସାଂଗକୁ ବ୍ୟାପକ ଚୋରା କାରବାର ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଏସ୍‌ପି ତଥା ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଉକ୍ତ ଅଞ୍ଚଳର ସଚେତନଶୀଳ ନାଗରିକଙ୍କ ତରଫରୁ ଦୃଢ଼ ଅଭିଯୋଗ ହେଉଥିଲେ ସୁଦ୍ଧା ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଅନୁସନ୍ଧାନ ଓ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିବା ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ପ୍ରକାଶ ଥାଉକି, ଦୁର୍ବନ୍ଧ ଶିବମନ୍ଦିର ନିକଟରେ ଯେଉଁ ମଦ ଦୋକାନ ଚାଲିଛି ତାହା ସମ୍ପୂର୍ଣ୍ଣ ଭାବେ ବେଆଇନ୍ ଓ ଅଣ-ସ୍ଵୀକୃତି ପ୍ରାପ୍ତ ଅଟେ । ସେହିଭଳି ଅନେକ ମଦ ଦୋକାନ ଚାଲିଛି, ଯାହା ବାବଦରେ ସ୍ଥାନୀୟ ଅବକାରୀ କାର୍ଯ୍ୟଳୟକୁ ସୂଚନା ଦିଆଯାଇଥିଲେ ଏବଂ ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଠିକ୍‌ ସେହିପରି ଗୁତ୍ତାଧାରୀ ସୁଧାକର ଚୌଧୁରୀ ଗୁଡ଼ିସର ଋଷିକୁଲ୍ୟା ନଦୀପଠାରୁ ୧୧,୫୦୦ ସି.ଏମ୍. ଉତ୍ତୋଳନ ସକାଶେ ଲିଜ୍ ନେଇଥିବା ବେଳେ ୫୦,୦୦୦ ସି.ଏମ୍.ରୁ ଅଧିକ ଉତ୍ତୋଳନ କରିସାରିଛନ୍ତି ବୋଲି ସାଧାରଣରେ କୁହାଯାଏ । କୃପାସିନ୍ଧୁ ମୁଦୁଲି ମଧ୍ୟ ସନ୍ତୋଷପୁର ନଦୀପଠାରୁ ଗୁତ୍ତା ନେଇଥିବା ବେଳେ ସେ ବ୍ରାହ୍ମଣଛାଇରୁ ବାଲି ଉତ୍ତୋଳନ କରୁଛନ୍ତି, ଦୁହେଁ କୌଣସି ପ୍ରକାର ଚିହ୍ନଟ କରିନାହାନ୍ତି କିମ୍ବା ଆଇନକୁ ମାନୁନାହାନ୍ତି ବୋଲି ଅଭିଯୋଗ ହେଉଛି । ସେହିଭଳି ବହୁତ ପାହାଡ ପର୍ବତରେ ବିନା ଅନୁମତିରେ ସରକାରୀ ଦଳର ଛତ୍ରଛାୟାରେ ପଥର କୁଆଁରୀରୁ ପଥର ବ୍ଲାଷ୍ଟ କରାଯାଉଛି । ଏ ବାବଦରେ ଗତ ତା.୨୨.୦୫.୨୦୨୪ ରିଖ ଦିନ ରଜନୀକାନ୍ତ ପାଢୀଙ୍କ ନେତ୍ତୃତ୍ଵରେ ଏକ ପ୍ରତିନିଧି ଦଳ ଆସି ସାକ୍ଷାତ କରି ଲିଖିତ ଅଭିଯୋଗ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ସହ ସାକ୍ଷାତ କରି କାର୍ଯ୍ୟାଳୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ଏକ ନିନ୍ଦନୀୟ ବିଷୟ ବୋଲି କୁହାଯାଇଛି । ତେଣୁ ଆସନ୍ତା ତା.୧୫.୦୬.୨୦୨୪ ରିଖ ଦିନ ଏହାର ପ୍ରତିବାଦରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ କରିବାକୁ ସଂଗଠନ ପ୍ରସ୍ତୁତ ହେଉଛି ବୋଲି ସଂଗଠକ ରଜନୀକାନ୍ତ ପାଢୀ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।

Leave A Reply

Your email address will not be published.