ଗଞ୍ଜାମ ଜିଲ୍ଲାରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କେନ୍ଦ୍ରମାନଙ୍କରେ ଆରମ୍ଭ ହୋଇଛି ଭୋଟ ଗଣତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କଡ଼ା ସୁରକ୍ଷା ମଧ୍ୟରେ ସମସ୍ତ ଭୋଟ ଗଣତି କେନ୍ଦ୍ରମାନଙ୍କରେ ନିର୍ଦ୍ଧାରୀତ ସମୟରେ ଆରମ୍ଭ ହୋଇଛି ଭୋଟ ଗଣତି । ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆର୍‌. ଓ.ଏବଂ ନିର୍ବାଚନ ନିମନ୍ତେ ଅବସ୍ଥାପିତ ସଧାରଣ ପର୍ଯ୍ୟବେକ୍ଷକ, ମାଇକ୍ରୋ-ପର୍ଯ୍ୟବେକ୍ଷକ, ନୋଡାଲ ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ଅଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଭୋଟ ଗଣତି କେନ୍ଦ୍ରମାନଙ୍କରେ ତଦାରଖ ଦାୟିତ୍ଵ ନିର୍ବାହ କରିଆସୁଛନ୍ତି । ଶାନ୍ତି ଶୃଙ୍ଖଳାର ସହ ଗଣତିର ପ୍ରଥମ ପ୍ରକ୍ରିୟା ଆରମ୍ଭ ହୋଇ ସୁରୁଖୁରେ ଚାଲିଛି । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସ୍ଥିତ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି ୧୨୩-ଭଞ୍ଜନଗର,୧୨୮-ଆସ୍କା, ୧୨୯-ସୋରଡ଼ା ବିଧାନସଭା କ୍ଷେତ୍ରର ଭୋଟ ଗଣତି ହେଉଥିବା ବେଳେ ବ୍ରହ୍ମପୁରର ଉମାଚରଣ ପଟ୍ଟନାୟକ ଇଞ୍ଜିନିୟର ସ୍କୁଲରେ ୧୩୫ ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀ କ୍ଷେତ୍ରର ୨୪୧ଟି ବୁଥ୍‌ର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛ । ସେହିପରି ବ୍ରହ୍ମପୁର ସରକାରୀ ପଲିଟେକନିକ୍ ଠାରେ ୧୩୨ ଗୋପାଳପୁର ବିଧାନସଭା ଅନ୍ତର୍ଗତ କ୍ଷେତ୍ରରେ ୨୧୩ଟି ବୁଥ୍‌ର, ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୭୨ଟି ବୁଥ୍‌ର, ୧୩୪ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୫୬ଟି ବୁଥ୍‌ର ଏବଂ ୧୩୦-ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ଇଭିଏମ୍‌ରୁ ଭୋଟ ଗଣତି ଚାଲିଛି । ସେହିପରି ଜିଲ୍ଳାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ ୧୨୫- କବି ସୂର୍ଯ୍ୟନଗର, ୧୨୬-ଖଲ୍ଲିକୋଟ, ୧୨୪-ପୋଲସରା, ୧୩୧-ହିଞ୍ଜିଳି, ୧୨୭ ଏବଂ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କ୍ଷେତ୍ରରେ ୨୪୪ଟି ବୁଥ୍‌ର ଇଭିଏମ୍‌ରୁ ଭୋଟ ଗଣତି ଆରମ୍ଭ ହୋଇଛି । ଭୋଟ ଗଣତି କେନ୍ଦ୍ରମାନଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଓ କଡ଼ା ନିରାପତ୍ତା ମଧ୍ୟରେ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । କଡ଼ାସୁରକ୍ଷା ବଳୟ ତଥା କେନ୍ଦ୍ରୀୟ ସୁରକ୍ଷା ବାହିନୀ ବ୍ୟବସ୍ଥାପନା ମଧ୍ୟରେ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave A Reply

Your email address will not be published.