ବିଦ୍ୟୁତ ମରାମତି କାମ ବେଳେ ଅଘଟଣ : ଠିକା କାମ କରୁଥିବା ଲାଇନ୍‌ମେନ୍‌ଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟୁତ ମରାମତି କାମ ବେଳେ ଅଘଟଣ ଘଟି ଜଣେ ଠିକା କାମ କରୁଥିବା ଲାଇନ୍‌ମେନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ବଲାଙ୍ଗିର ରୁଗୁଡ଼ିପଡ଼ାରୁ ଫ୍ୟୁଜ୍‌ କଲ୍‌ ପାଇ ମରାମତି ପାଇଁ ମେହେରମୁଣ୍ଡା ନିବାସୀ ଠିକା ଶ୍ରମିକ ଅନୁପ ଚନ୍ଦ୍ର ସିଂ ରୁଗୁଡ଼ିପଡ଼ାରେ ପହଂଚି ବିଦ୍ୟୁତ ମରାମତି କରିବା ସମୟରେ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁବରଣ କରିଛନ୍ତି । ବିଦ୍ୟୁତ ବିଭାଗର ଠିକା ଶ୍ରମିକମାନେ ଶବ ରଖି ବିଭାଗୀୟ ଅବହେଳା ଯୋଗୁଁ ଅନୁପଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଥିଲା । ମୃତ ଅନୁପଙ୍କ ସହକର୍ମୀ ମିଲନ ପଣ୍ଡା କହିଛନ୍ତି ଯେ, ଯଦି ରେଗୁଲାର୍‌ ଲାଇନ୍‌ମେନ୍‌ ଜଣେ ଆମ ପିଲାଙ୍କ ସହ ରହି କାମ ତଦାରଖ କରିଥାନ୍ତେ, ତେବେ ଅନୁପଙ୍କ ଏଭଳି ଅକାଳ ମୃତ୍ୟୁ ଘଟିନଥାନ୍ତା । ମୃତ ଅନୁପ ତାଙ୍କ ବାପା ମା’ଙ୍କ ଏକମାତ୍ର ପୁତ୍ର ହୋଇଥିବା ବେଳେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ପରିବାରର ଜଣକୁ ଚାକିରି ଦିଆଯାଉ ବୋଲି ଆନ୍ଦୋଳନରତ ବିଦ୍ୟୁତ ବିଭାଗ କର୍ମଚାରୀମାନେ ଦାବୀ କରିଥିଲେ । ବର୍ଷା ହେଉଥିବା ସତ୍ୱେ ଅନୁପଙ୍କ ଶବ ରଖି ସାଥୀ କର୍ମଚାରୀମାନେ ଧାରଣାରେ ବସିଥିବା ବେଳେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଓ ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ ଧାରଣା ସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ନିୟମ ଅନୁସାରେ ଯେତିକି ବେଶୀ ହୋଇପାରିବ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିବା ଜଣାପଡ଼ିଛି । ଏହାପରେ ଶବକୁ ପୋଷ୍ଟମର୍ଟମ୍‌ ପାଇଁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌କୁ ପଠାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.