oom

ଟ୍ରକ୍‌ ପଛପଟେ ପିଟି ହୋଇ ବାଇକ୍‌ ଆରୋହୀ ନବବିବାହିତ ଯୁବକଙ୍କ ଅକାଳ ବିୟୋଗ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥ ହଳଦୀ ଓ ଯୁଗିରତା ମଝିରେ ଏକ ଅଚଳ ହୋଇପଡି ରାସ୍ତା ପାଶ୍ୱରେ ଛିଡ଼ା ହୋଇଥିବା ଟ୍ରକ ପଛ ପଟେ ପିଟି ହୋଇ ବାଇକ୍‌ ଆରୋହୀ ଯୁଗିରତା ଗ୍ରାମର ଜଣେ ନବବିବାହିତ ଯୁବକଙ୍କ ଅକାଳ ବିୟୋଗ ଭଳି ଦୁଃଖଦ ଘଟଣା ଘଟିଛି । ଯୁଗିରତା ଗ୍ରାମର ଛିନୁ ବୁଡେକଙ୍କ ନବବିବାହିତ ପୁଅ ଲକ୍ଷ୍ମୀଧର ବୁଡେକ(୩୪) ଗୁରୁବାର ରାତି ୮ଟାରେ ନିଜ ଘରୁ ଏକ ସିଡି ଡନ୍‌ ବାଇକ୍ (ଓଆର ୦୩ ଏଚ ୧୮୭୮)ରେ ବାହାରି ହଳଦୀ ଯାଉଥିବା ବେଳେ ଘଟଣାସ୍ଥଳରେ ବ୍ରେକ୍‌ ଫେଲ୍‌ ହୋଇ ଛିଡା ହୋଇଥିବା ଟ୍ରକ୍‌ (ଓଡ଼ି ୦୩ ଏକ୍ସ ୩୨୬୯)ର ପଛପଟେ ପିଟି ହୋଇ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ଲକ୍ଷ୍ମୀଧର ଗତ ଫେବୃଆରୀ ୨୯ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ବରଗୋଡା ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିଥିବା ବେଳେ ସେ ଏବେ ଗର୍ଭବତୀ ଅଛନ୍ତି । ଖବର ପାଇ ମୁରିବାହାଲ ଥାନା ପୁଲିସ ଏସ୍‌ଆଇ ପ୍ରମୋଦ କୁମାର ପଧାନ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରିଥିଲେ । ଅଚଳ ହୋଇପଡ଼ିଥିବା ଟ୍ରକ୍‌ଟି ପ୍ରଧାନମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟ କରୁଥିବା ଟିଟିଲାଗଡ଼ର ଜଣେ ନାମକରା ଠିକାଦାର ବୋଲି ଜଣାପଡିଛି । ମୃତଦେହ ଗାଁରେ ପହଞ୍ଚିବା ପରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ନବବିବାହିତା ପତ୍ନୀଙ୍କ ସହ ପୀଡ଼ିତ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଯୁଗିରତା ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି । ଲକ୍ଷ୍ମୀଧରଙ୍କ ବଡଭାଇ ଦୁର୍ଯ୍ୟୋଧନ ବୁଡେକଙ୍କ ଏତଲା ଆଧାରରେ ପୁଲିସ କେଶ ନଂ ୧୭୬/୨୪ ରୁଜୁ କରି ଅଧିକ ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.