ରୋଟାରୀ ଏଲିଟ୍‌ ଦ୍ୱାରା “ମୋ ଭୋଟ ମୋ ଅଧିକାର” ଆଲୋଚନାଚକ୍ର ଆୟୋଜିତ

  • ରାଜନୈତିକ ମୋହଭଙ୍ଗ ଅଳ୍ପ ମତଦାନର କାରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏପ୍ରିଲ ୧୦ ତାରିଖ ସନ୍ଧ୍ୟାରେ ବଲାଙ୍ଗିର ସାମ୍ବାଦିକ ଭବନରେ ରୋଟାରୀ ଏଲିଟ୍‌ ଦ୍ୱାରା ଭୋଟ୍‌ ସଚେତନତା ପାଇଁ ‘ମୋ ଭୋଟ୍‌ ମୋ ଅଧିକାର’ ଆଲୋଚନାଚକ୍ର ଆୟୋଜିତ ହୋଇଛି । ଏହି ସଭାରେ ପ୍ରାୟ ପ୍ରଥମ ଥର ପାଇଁ ଭୋଟ୍‌ ଦେଉଥିବା ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସମ୍ବଲପୁର ଆଇ. ଆଇ. ଏମ୍‌ର ସହ ପ୍ରାଧ୍ୟାପକ ଡ. ସୁଜିତ ପୃସେଠ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ସହ ପ୍ରାଧ୍ୟାପକ ଡ. ମନୋଜ କୁମାର ନାଗ ଅତିଥି ବକ୍ତାରୂପେ ନିଜ ନିଜ ମତାମତ ରଖିଥିଲେ । ରାଜନୀତି ମୋହଭଙ୍ଗ ଭୋଟ୍‌ ପରିଚାଳନାରେ ଏକ ବିରାଟ ପ୍ରତିବନ୍ଧକ ଓ ଏହା ସୁସ୍ଥ ଗଣତନ୍ତ୍ର ପାଇଁ ବିପଦ ବୋଲି ଡ. ମନୋଜ ନାଗ କହିଥିଲେ । ଆଜି ବି ଆମ ଦେଶରେ ୬୫ରୁ ୬୬ ପ୍ରତିଶତ ଲୋକ ଭୋଟ୍‌ ଦେବାକୁ ଆସୁଛନ୍ତି ଯାହା ପ୍ରକୃତରେ ଦେଶର ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସକାରାତ୍ମକ ସଂକେତ ନୁହେଁ ବୋଲି ଡ. ନାଗ ମତବ୍ୟକ୍ତ କରିଥିଲେ । ଡ. ସୁଜିତ ପୃସେଠ ତାଙ୍କ ବକ୍ତବ୍ୟରେ ଆମ ଭୋଟ୍‌ ଅଧିକାର ସହିତ ଆମ ପ୍ରଶ୍ନ ପଚାରିବା ଅଧିକାର ଏକ ବିଶେଷ ଅଧିକାର ବୋଲି କହିଥିଲେ । ଆମ ଅଂଚଳର ଦୁଇ ଜଣ ବିଶିଷ୍ଠ ବ୍ୟକ୍ତିତ୍ୱଙ୍କ ପରିଚୟ ଦେବାକୁ ଯାଇ ଯୁଧିଷ୍ଠିର ମିଶ୍ରଙ୍କ ସମ୍ବିଧାନ ତିଆରି କରିବାରେ ପ୍ରମୁଖ ଅବଦାନକୁ ମନେପକାଇ ଥିଲେ ଓ କିସାନ୍‌ ପଟ୍ଟନାଏକଙ୍କ ଯୁବାବସ୍ଥାରେ ନିର୍ବାଚିତ ହୋଇ କିପରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ଏଠାରେ ଉପସ୍ଥାପିତ କରିଥିଲେ । ଏହି ଭୋଟ୍‌ ଦେବା ଓ ପ୍ରଶ୍ନ ପଚାରିବା ଅଧିକାର ଆମପାଇଁ ଅମୋଘ ଅସ୍ତ୍ର ହେବ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ବୋଲି ମତ ରଖିଥିଲେ । ମାନବ ସମାଜରେ ଦିଗ ନିର୍ଣ୍ଣୟ କରେ ଆମର ଏକମାତ୍ର ଭୋଟ୍‌ ବୋଲି ଡ. ପୃସେଠ ପ୍ରକାଶ କରିଥିଲେ । ବକ୍ତାମାନେ ଆସନ୍ତା ନିର୍ବାଚନ ଦିନ ଅଧିକରୁ ଅଧିକ ମତଦାନ ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହାଦ୍ୱାରା ଆମ ଦେଶର ଗଣତନ୍ତ୍ର ସମୃଦ୍ଧ ଓ ସଶକ୍ତ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ର ପ୍ରଜ୍ୱଳ ପ୍ରେମଦୀପ ପାଣିଗ୍ରାହୀ, ପ୍ରାର୍ଥୀ ପ୍ରତିମା ଖମାରି ଓ ପ୍ରତୀକ୍ଷା କର, ସି.ଏନ୍‌.ସି. ମହାବିଦ୍ୟାଳୟର ସୁରଜ ପଟ୍ଟନାୟକ, ଜେ.ଏସ୍‌.ଏମ୍‌. ମହାବିଦ୍ୟାଳୟର ମୋହିତ ଅଗ୍ରୱାଲ ଓ ସରକାରୀ ମହିଳା ମହାବିଦ୍ୟାଳୟର ତୁଳସୀରାଣୀ ସାହୁ ପ୍ରମୁଖ ନିଜ ନିଜ ମତାମତ ଉପସ୍ଥାପନା କରିଥିଲେ । ଏହି ସଭାରେ ରୋଟାରୀ ଏଲିଟ୍‌ର ସଭାପତି ବିଶ୍ୱଜିତ ଦାଶ ସଭାପତିତ୍ୱ କରିଥିଲେ, ରୋଟାରୀ ଏଲିଟ୍‌ର ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ନନ୍ଦ ସଭା ପରିଚାଳନା କରିଥିଲେ । ଶେଷରେ ରୋଟାରୀ ଏଲିଟ୍‌ର ସମ୍ପାଦିକା ଦୀପିକା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଅବସର ପ୍ରାପ୍ତ ପ୍ରଫେସର ମଧୁସୂଦନ ପତି, ଡ. ଶିବ ପ୍ରସାଦ ନନ୍ଦ, ବଲାଙ୍ଗିରର ବରିଷ୍ଠ ନାଗରିକ ମନୋରଞ୍ଜନ ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ସଭାକୁ ସଫଳ କରିବାରେ ସମସ୍ତ ରୋଟାରୀ ଏଲିଟ୍‌ ସଦସ୍ୟଙ୍କୁ ସହଯୋଗ କରିଥିଲେ ।

Leave A Reply

Your email address will not be published.