ବଲାଙ୍ଗିର ସୁଦପଡ଼ାରେ ବୃଦ୍ଧା ମା’ଙ୍କ ଶବ ଉଦ୍ଧାର କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରାତିରେ ବଲାଙ୍ଗିର ଟାଉନ୍‌ ପୋଲିସ ଜଣେ ବୃଦ୍ଧା ମା’ଙ୍କ ଶବ ବସ୍ତ୍ରହୀନ ଅବସ୍ଥାରେ ସୁଦପଡ଼ା ନୂଆ ହନୁମାନ ମନ୍ଦିର ପଛପଟେ ରହିଥିବା ଏକ ଘରୁ ଉଦ୍ଧାର କରିଛି । ଏହି ଘଟଣା ବଲାଙ୍ଗିର ସହରରେ ଚାଂଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ମୃତ ବୃଦ୍ଧା ଜଣକ ହେଉଛନ୍ତି ଗୀତାଦେବୀ ଅଗ୍ରୱାଲ । ଘରେ ପୁଅ ମନୋଜ ସହ ମା’ ରହନ୍ତି । ମା’ ପାମ୍ପଡ୍‌ ତିଆରି କରି ବୁଲି ବୁଲି ବିକ୍ରି କରି ପରିବାର ଚଳାଉଥିବା ବେଳେ ଯୁଆନ୍‌ ମଦୁଆ ପୁଅ ମା’ଙ୍କ ରୋଜଗାରରୁ ଚଳୁଥିଲେ । କେବଳ ସେତିକି ନୁହେଁ, ମା’ଙ୍କ ଠୁ ଜୋର୍‌ ଜବର୍‌ଦସ୍ତ ଟଙ୍କା ନେଇ ମଦ ପିଉଥିଲେ ମନୋଜ । ତେବେ ଏହି ଘଟଣାରେ ପୁଅ ମନୋଜଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ମୃତ ମହିଳାଙ୍କ ଝିଅ ସୁଶୀଲା ଅଗ୍ରୱାଲ, ଭାଇ ମନୋଜ କୌଣସି କାମ କରୁନଥିବା ବେଳେ ମା’ଙ୍କ ରୋଜଗାରରେ ଚଳୁଥିବା କହିଛନ୍ତି । ଟାଉନ୍‌ ପୋଲିସ ତଦନ୍ତ ଚଳାଇଥିବା ବେଳେ ପୋଷ୍ଟ ମର୍ଟମ୍‌ ରିପୋର୍ଟ ଆସିବା ପରେ ଘଟଣା ସଂପର୍କରେ ଅଧିକ ତଥ୍ୟ ମିଳିବ ବୋଲି କୁହାଯାଉଛି । ତେବେ ଦୁଇ ତିନି ଦିନ ପୂର୍ବରୁ ବୃଦ୍ଧାଙ୍କ ମୃତ୍ୟୁ ଘଟି ସାରିଥିବା ଆଲୋଚନା ହେଉଛି । ବୃଦ୍ଧାଙ୍କ ଶବ ପୋଲିସ ଉଦ୍ଧାର କରିବା ସମୟରେ ଶବଟି ଫୁଲି ଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.