ନିର୍ବାଚନ ଆଚରଣ ବିଧି ଲାଗୁଁ ଯୋଗୁଁ ୨୪ ଦିନ ପରେ ଆନ୍ଦୋଳନ ସ୍ଥଗିତ

  • ଭୂମିହୀନ ଏବଂ ପଟ୍ଟାଧାରୀ ସରକାରଙ୍କୁ କଲେ ଭର୍ତ୍ସନା

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ତହସିଲ ଅଫିସ ସମ୍ମୁଖରେ ୧୬ ଦଫା ଦାବୀ ନେଇ ଗତ ୨୨.୨.୨୦୨୪ରୁ ଆମ୍‌ ଆଦମୀ ପାର୍ଟି ସଂଯୋଗ ସୁରଥ ବେହେରାଙ୍କ ଦ୍ୱାରା ଗଣଧାରଣା ଦିଆଯାଇଥିଲା । ୧୬ ଗୋଟି ଦାବୀ ମଧ୍ୟରୁ ମୁଖ୍ୟ ଦୁଇଟି ଦାବୀ କଂଟାବାଞ୍ଜି ସହରର ଭୂମିହୀନମାନଙ୍କୁ ଘର ଓ ପଟ୍ଟା ପ୍ରଦାନ ଏବଂ ପଟ୍ଟାଦାରକୁ ରୟତି କରିବା ମୁଖ୍ୟ ଦାବୀ ଥିଲା । ଦୀର୍ଘ ୨୪ ଦିନର ଗଣଧାରଣାରେ ସହରର ଅନେକ ଭୂମିହୀନ ଏବଂ ପଟ୍ଟାଦାର ଜମି ହିତାଧିକାରୀ ଆନ୍ଦୋଳନରେ ସାମିଲ ଥିଲେ । ଦୀର୍ଘ ଦିନର ଗଣଧାରଣରେ କୌଣସି ପ୍ରଶାସନିକ ଅଧିକାରୀମାନେ ଗଣଧାରଣାସ୍ଥଳକୁ ଆସି ନଥିବା ବେଳେ କୌଣସି ପ୍ରତିଶୃତି ମିଳିପାରି ନଥିଲା । ଏହି ଗଣଧାରଣା ମଧ୍ୟରେ ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇଥିବାରୁ ବାଧ୍ୟ ହୋଇ ଗଣଧାରଣାକାରୀମାନେ ସୋମବାର ଦିନଠାରୁ ସ୍ଥଗିତ କରିଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ଭର୍ତ୍ସନା କରିଛନ୍ତି । ଏପରିକି ଭୂମିହୀନ ଏବଂ ପଟ୍ଟାଧାରୀମାନଙ୍କୁ କୌଣସି ନ୍ୟାୟ ମିଳିପାରି ନାହିଁ । ଆଚରଣ ବିଧି ଲାଗୁ ହୋଇଥିବାରୁ ସହରର ବୁଦ୍ଧିଜୀବୀଙ୍କ ମଧ୍ୟରେ ହାଡୁ ଛତ୍ରିଆ, ଅମରଚନ୍ଦ ଶର୍ମା, ମୁରାରିଲାଲ ଅଗ୍ରୱାଲ, କୁଞ୍ଜବନ ବେହେରା, ବ୍ରଜଶ୍ୟାମ ଗୁରୁ ଏବଂ ଶତାଧିକ ଜନସାଧାରଣ ଗଣଧାରଣାସ୍ଥଳକୁ ଆସି ସଂଯୋଜକ ବେହେରା ଏବଂ ଅନ୍ୟମାନଙ୍କୁ ଧାରଣାକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିବାରୁ ସୋମବାର ଦିନଠାରୁ ସ୍ଥଗିତ କରିଛନ୍ତି । ଆଗାମୀ ଦିନରେ ଏହି ଦୁଇ ମୁଖ୍ୟ ଦାବୀ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ବେହେରା କହିଥିବା ବେଳେ ଭୂମିହୀନ ଏବଂ ପଟ୍ଟାଧାରୀମାନେ ନିଜ ହକ୍‌ ପାଇଁ ନିର୍ବାଚନୀ ଶେଷ ପରେ ଆନ୍ଦୋଳନ ଜାରୀ ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

17 + 9 =