ମୁରିବାହାଲର ବହୁ ଚର୍ଚ୍ଚିତ କପା ଠକେଇ ମାମଲାରେ ଅଭିଯୁକ୍ତମାନଙ୍କୁ ୩ ବର୍ଷ କାରାଦଣ୍ଡ ସହିତ ଜରିମାନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଜେଏମ୍‌ଏଫ୍‌ସି କୋର୍ଟରେ ଚାଲିଥିବା କପା ଠକେଇ ମାମଲାରେ କପା ଠକେଇ ପ୍ରମାଣିତ ହୋଇ ରାୟ ପ୍ରକାଶିତ ହୋଇଛି । ଜେଏମ୍‌ଏଫ୍‌ସି କୋର୍ଟ ମାଜିଷ୍ଟ୍ରେଟ କିଶୋର କୁମାର ନାଥ ଅଭିଯୁକ୍ତମାନଙ୍କୁ ୪୨୦ ଧାରା ଆଧାରରେ ତିନି ବର୍ଷ କାରାଦଣ୍ଡ ସହିତ ୧୦(ଦଶ ହଜାର)ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜରିମାନା ଅନାଦେୟ ପ୍ରତ୍ୟେକଙ୍କୁ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ୨୦୨୩ ମାର୍ଚ୍ଚ ୨୫ରେ ଏହି ଥାନା ଚିତ୍ରାମୁଣ୍ଡା ଗ୍ରାମର କମଳଲୋଚନ ସାହୁଙ୍କ ସହିତ ଅନ୍ୟ ୧୭ଜଣ ଚାଷୀଙ୍କ କପା ନେଇ କପା ବାବଦକୁ ୧୭ ଲକ୍ଷ ୫୭ ହଜାର ୫୧୯ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗକାରୀ କମଳଲୋଚନ ସାହୁ ୨୫/୦୩/୨୦୨୩ରେ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମୁରିବାହାଲ ଥାନାରେ ଠକେଇ ମାମଲାରେ କେସ୍‌ ନମ୍ବର ୦୫/୨୩ ମାମଲା ରୁଜୁ କରି ଅଭିଯୋଗକାରୀଙ୍କ ଏତଲା ମୁତାବକ ତୁରେକେଲା ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ବିବେକାନ୍ତ ସାହୁ, ଚିତ୍ରାମୁଣ୍ଡାର ବିନୋଦ ସାହୁ, ଭଏଁରୀଗୁଭାର ଭୈରବ ସାହୁ ଓ ଗରାମୁଣ୍ଡାର ବ୍ରହ୍ମାନନ୍ଦ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଭିଯୁକ୍ତମାନଙ୍କ ନାଁରେ ମାମଲା ଚାଲିଥିଲା । ଏହି ମାମଲାକୁ ଅଭିଯୋଗକାରୀଙ୍କ ପକ୍ଷରୁ ସରକାରୀ ଓକିଲ ବିଶ୍ୱନାରାୟଣ ବହିଦାର ପରିଚାଳନା କରୁଥିଲେ । ଜିଆର୍‌ କେସ୍‌ ନମ୍ବର ୪୭/୨୩, ଦଫା ୪୨୦/ ୫୦୬ ଓ ୩୪/ଆଇପିସି ଧାରାରେ ମାମଲା ଚାଲିଥିଲା ହେଲେ ଆଜି ସୋମବାର ମୁରିବାହାଲ ଜେଏମ୍ଏଫ୍‌ସି କୋର୍ଟ ଅଭିଯୁକ୍ତ ମାନଙ୍କୁ ୪୨୦ ଧାରାରେ ତିନି ବର୍ଷ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଚାରିଜଣ ଅଭିଯୁକ୍ତମାନଙ୍କ ମଧ୍ୟରୁ ତିନି ଜଣଙ୍କ ଜାମିନ ମଂଜୁର ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିବେକାନ୍ତ ସାହୁ ପୁଣି ଜେଲ ଯାଇଥିଲେ । ଦୋଷୀଙ୍କୁ ସଜ୍ଜା ପରେ କପାଚାଷୀମାନେ ଖୁସି ବ୍ୟକ୍ତ କରିଥିବା ବେଳେ ଅନ୍ୟ ପକ୍ଷରେ ଏବେ ସେମାନେ ସେମାନଙ୍କ ଟଙ୍କା ଫେରି ପାଇବା ଚିନ୍ତାରେ ମଧ୍ୟ ଅଛନ୍ତି ।

Leave A Reply

Your email address will not be published.

17 − six =