ବଲାଙ୍ଗିରରୁ ଆଜମେର-ପୁଷ୍କରକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ବଲାଙ୍ଗିର ଜିଲ୍ଲାରୁ ରାଜସ୍ଥାନର ଆଜମେର ଓ ପୁଷ୍କରକୁ ମାଗଣାରେ ତୀର୍ଥଯାତ୍ରାର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟଠାରୁ ଏକ ଭବ୍ୟ ସମାରୋହ ପରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟକୁମାର ସେଠୀ ସମ୍ବଲପୁର ପର୍ଯ୍ୟନ୍ତ ନେଉଥିବା ବସ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ବଲାଙ୍ଗିରରୁ ଏହି ତୀର୍ଥଯାତ୍ରାରେ ୧୭୭ଜଣ ପୁରୁଷ ଓ ମହିଳା ଯାଇଛନ୍ତି । ୩ଜଣ ତତ୍ୱାବଧାରକଙ୍କ ସହ ଏମାନେ ଆଜି ବଲାଙ୍ଗିରରୁ ୫ଟି ବସ୍‌ରେ ସମ୍ବଲପୁର ପର୍ଯ୍ୟନ୍ତ ଯାଇଛନ୍ତି । ସେଠାରୁ ରାତିରେ ଏକ ସ୍ୱତନ୍ତ୍ର ଟ୍ରେନରେ ରାଜସ୍ଥାନର ଆଜମେର ପର୍ଯ୍ୟନ୍ତ ଯିବେ । ସେଠାରୁ ପୁଷ୍କରକୁ ଯାଇ ଭାରତର ଏକମାତ୍ର ବ୍ରହ୍ମା ମନ୍ଦିର ବୁଲି ଆସନ୍ତା ୨୪ ତାରିଖ ସକାଳେ ଫେରିବେ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବିନ୍ଦ୍ରକୁମାର ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠନାଗରିକ ତୀର୍ଥଯାତ୍ରାର ମହତ୍ୱ ବିଷୟରେ ଅତିରିକ୍ତ ଜିଲ୍ଲାପାଳ ଡ. ସେଠୀ ବୁଝାଇ ସମସ୍ତଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତେ କିଭଳି ଶାନ୍ତିଶୃଙ୍ଖଳାର ସହିତ ଯାଇ ଭଗବାନଙ୍କ ଦର୍ଶନ କରି ଶୁଭରେ ଫେରି ଆସିବେ ବୋଲି ଶୁଭମନାସୀ ଥିଲେ । ସମ୍ମାନିତ ଅତିଥି ଭାବରେ ଡେପୁଟି କଲେକ୍ଟର ରାଜେନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.