ଶିବିରରେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଅଣଦେଖା ଅଭିଯୋଗ, ଉପକରଣ ପାଇବା ଆଶାରେ ଆସିଥିଲେ, ଖାଲି ହାତରେ ଫେରିଗଲେ

ବଲାଙ୍ଗିର, (କେପିଏନ୍ଏସ୍) : ଭିନ୍ନକ୍ଷମ ଶିବିରରେ ଭିନ୍ନକ୍ଷମମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆସିଛି । ବିଭିନ୍ନ ଉପକରଣ ପାଇବା ଆଶାରେ ଆସିଥିବା ହିତାଧିକାରୀଙ୍କୁ ଫେରିବାକୁ ପଡିଛି ବୋଲି ହିତାଧିକାରୀମାନେ କହିଛନ୍ତି । ଶିବିରରେ ଅନେକ ଅବ୍ୟବସ୍ଥାକୁ ନେଇ ମଧ୍ୟ ଅଭିଯୋଗ ହୋଇଛି । ବର୍ଷ ବର୍ଷ ଧରି ଭିନ୍ନକ୍ଷମ ପତ୍ର ଓ ଉପକରଣ ପାଇବାରୁ ବଞ୍ଚିତ ହେଉଛନ୍ତି ହଜାର ହଜାର ହତାଧିକାରୀ । ସେପଟେ ସବୁ କିଛି ଠିକଠାକ ଚାଲିଥିବା କହିଛନ୍ତି ସାମାଜିକ ସୁରକ୍ଷା ଅଧିକାରୀ । ଭିନ୍ନକ୍ଷମଙ୍କୁ ସକ୍ଷମ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛନ୍ତି । ଅଥଚ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଖକୁ କେବଳ କାଗଜପତ୍ରରେ ପହଞ୍ଚି ପାରୁଛି, ଯାହାର ଜ୍ବଳନ୍ତା ଉଦାହରଣ ଆଜି ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଥିବା ଭିନ୍ନକ୍ଷମଙ୍କୁ ବିଭିନ୍ନ ଉପକରଣ ବଣ୍ଟନ ଶିବିରରେ ଦେଖିବାକୁ ମିଳିଛି । ସେପଟେ ଖାଇବା ଠାରୁ ବସିବା ପର୍ୟ୍ୟନ୍ତ ଶିବିରରେ କୌଣସି ପ୍ରକାର ସୁବିଧା ନଥିବା ବେଳେ କୋଭିଡ ନିୟମକୁ ମଧ୍ୟ ଖୋଲା ଖୋଲି ଉଲଙ୍ଘନ କରାଯାଇଥିବା ଆଲୋଚନା ହେଉଛି । ସୂଚନା ଅନୁସାରେ ବଲାଙ୍ଗିର ସହର ସମେତ ବିଭିନ୍ନ ବ୍ଲକରୁ ଭିନ୍ନକ୍ଷମମାନେ ଆସି ଯୋଗଦେବା ସହ ନାଁ ପଞ୍ଜିକରଣ କରିଥିଲେ । ଯାହାର ନାଁ ପଞ୍ଜିକରଣ ହୋଇ ନାହିଁ, ତାହା କରିବା ସହ ବିଭିନ୍ନ ଖୋଲା ଯାଇଥିବା ବିଭାଗରେ ସେମାନେ ତାଙ୍କ ଅଭିଯୋଗ ଜଣାଇଥିଲେ । ପରେ ସେମାନଙ୍କୁ ଡିଜିଟାଲ ମାଧ୍ୟମରେ ଫଟୋ ଉଠାଇବାକୁ ପଠାଯାଇଥିଲା । ପରେ ଗୋଟିଏ ପ୍ରମାଣପତ୍ର ମିଳିଥିଲା। ତେବେ ବିଭିନ୍ନ ଗ୍ରାମରୁ ବ୍ଲକରୁ ଆସିଥିବା ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ଶିବିରରେ କୌଣସି ବ୍ୟବସ୍ଥା ନଥିବା ଅଭିଯୋଗ କରିଥିବା ବେଳେ ସେମାନଙ୍କୁ ଖାଲି ଖାଲି ମଧ୍ୟ ଫେରିବାକୁ ପଡିଥିଲା । ସେମାନଙ୍କ ମଧ୍ୟରେ କିଛି ଶିକ୍ଷିତ ଓ କଲେଜ ପାଠପଢୁଥିବା ଯୁବକ ମଧ୍ୟ ରହିଥିଲେ ଓ ତାଙ୍କୁ ଆବଶ୍ୟକ ଥିବା ଉପକରଣ ନେବା ପାଇଁ ମଧ୍ୟ ଆସିଥିଲେ, ପରବର୍ତ୍ତି ସମୟରେ ନିରାଶ ହୋଇ ଫେରିଛନ୍ତି ଭିନ୍ନକ୍ଷମ ହିତାଧିକାରୀ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.