ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରଞ୍ଜନ କୁମାର ଦାସ ଭା.ପ୍ର.ସେ. କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ଗୁରୁବାର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ପୁରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟକରି ଗତ ଜାନୁୟାରୀ ୨୯ ତାରିଖ ଦିନ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ପୁରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ ନିର୍ବାହ କରି ସମସ୍ତଙ୍କର ପ୍ରଶଂସା ଭାଜନ ହୋଇପାରିଥିଲେ । ୨୦୦୭ ବ୍ୟାଚ୍ର ଆଇଏଏସ୍ ଦାସ ତାଙ୍କ ଚାକିରୀ କାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଛନ୍ତି । ଜଣେ ବିଶିଷ୍ଟ ଲେଖକ ଭାବେ ଓଡିଶାର ପାଠକ, ପାଠିକାମାନଙ୍କ ନିକଟରେ ସେ ଚିର ପରିଚିତ । ଶ୍ରୀଯୁକ୍ତ ଦାସ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ବ୍ରହ୍ମପୁର ସ୍ଥିତ ମା’ ବୁଢୀ ଠାକୁରାଣୀ ମନ୍ଦିରର ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ ଏବଂ ପରେ ଗଞ୍ଜାମ କଳା ପରିଷଦ କବି ସୂର୍ଯ୍ୟ ରଙ୍ଗ ମଞ୍ଚର ଚାଲୁଥିବା ମଞ୍ଚ କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ ଏବଂ ଏହି କାର୍ଯ୍ୟ ଶୀଘ୍ର ସମାପନ କରିବା ପାଇଁ ସଂପୃକ୍ତ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ୱ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସହିତ ଏକ ବୈଠକ ଆଗତ କରି ଜଣାଇ ଥିଲେ ଯେ, ରାଜସ୍ୱ ବିଭାଗର କାର୍ଯ୍ୟ ଗୁଡିକ ଯେଭଳି ଜନସାଧାରଣ ସୁବିଧାରେ ହାସଲ କରିବେ ସେହି ଦିଗରେ ଯତ୍ନବାନ ହେବା ଆବଶ୍ୟକ । ଜନସାଧାରଣ ଯେଭଳି ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସେବା ହାସଲ କରିବେ ସେଗୁଡିକ ବିଳମ୍ବ ନକରି ଅବିଳମ୍ବେ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।