ତୁରେକେଲା, (କୈଳାସ ସଗ୍ରିଆ) : ରବିବାର କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ନୂଆପଡା ଜିଲ୍ଲାର ତିଖାଲି ଡେମ୍ଠାରେ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ବାଲ ସାହିତ୍ୟ ପୁରସ୍କାର ପ୍ରାପ୍ତ ଡ. ଯୁଗଳ କିଶୋର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଓ ଶିଶୁ ସାହିତ୍ୟିକ ଜ୍ୟୋତିପ୍ରକାଶ ଗଡ଼ତ୍ୟା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଭାଷା, ସାହିତ୍ୟ, କଳା,ସଂସ୍କୃତି, ପରିବେଶ ଓ ସେବା ଦିଗରେ ବର୍ଷ ତମାମ କାର୍ଯ୍ୟ କରୁଥିବା ବେଳେ ଆଉ ଏକ ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆଜିକାଲି ବ୍ୟସ୍ତତା ଭିତରେ ପିଲାମାନଙ୍କ ମୁହଁରେ ଖୁସି ଦେବାଟା ସମ୍ଭବ ହେଉନାହିଁ ତେଣୁ ଅନୁଷ୍ଠାନ ସେମାନଙ୍କ ମୁହଁରେ ଖୁସି ଦେବାକୁ ପ୍ରୟାସ ଆରମ୍ଭ କରିଛି । ବିଭିନ୍ନ ଦର୍ଶନୀୟ ସ୍ଥାନ, ବସ୍ତି ତଥା ବିଦ୍ୟାଳୟର ପିଲାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସମ୍ପାଦକ ପ୍ରକାଶ କରିଛନ୍ତି । ତିଖାଲି ଡେମ୍ଠାରେ ଶୁଭାରମ୍ଭ ଅବସରରେ ପିଲାମାନଙ୍କୁ ନେଇ ବେଲୁନ ଫୁଙ୍କା, ଚକୋଲେଟ ଖେଳ, ସାଧାରଣ ଜ୍ଞାନ, ବାଟି ଚାମଚ, ଭଳି ଅନେକ ମଜାଳିଆ ଖେଳ କରାଯାଇଥିଲା । ଯେଉଁମାନେ ଜିତିଥିଲେ ସେମାନଙ୍କୁ କଲମ, ପେନ୍ସିଲ୍, ଖାତା, ଚକୋଲେଟ, ମାସ୍କ ଓ ପଠନ ପ୍ରବୃତ୍ତିର ବିକାଶ ପାଇଁ ଶିଶୁ ପତ୍ରିକା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପିଲାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଏଭଳି ପ୍ରୟାସକୁ ଭୁରି ଭୁରି ପ୍ରଂଶସା କରିଥିଲେ ।