
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ଭଇଁସା ଗ୍ରାମରେ ଜନୈକ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗ୍ରାମର ନୀଳାଚଳ ନାଏକଙ୍କଠାରୁ ଭତ୍ତା କରାଇ ଦେବା ନାମରେ ଲକ୍ଷ୍ମୀନାରାୟଣ ନାଏକ ୬ ମାସ ତଳେ ହଜାରେ ଟଙ୍କା ନେଇଥିଲେ । ତେବେ ଭତ୍ତା ହୋଇ ନପାରିବାରୁ ନୀଳାଚଳ ନିଜ ପୁଅ ପରେଶକୁ ଟଙ୍କା ମାଗି ଆଣିବା ସକାଶେ ଲକ୍ଷ୍ମୀନରାୟଣଙ୍କ ନିକଟକୁ ପଠାଇଥିଲେ । ତେବେ ଏଥିରେ ଉତ୍ୟକ୍ତ ହୋଇ ଲକ୍ଷ୍ମୀନାରାୟଣ ଏକ ଧାରୁଆ ରଫାରେ ପରେଶଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ଯୋଗୁଁ ପରେଶଙ୍କ ନାକ ଓ ଆଖିରେ ଗଭୀର ଆଘାତ ଲାଗିବା ସହିତ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ । ଖବର ପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେଶଙ୍କ ଅଭିଯୋଗ ମୁତାବକ ଲୋଇସିଂହା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି । ଅଭିଯୁକ୍ତ ଫେରାର ଥିବା ଆଇଆଇସି ଯାଜ୍ଞସେନୀ ନାୟକ ସୂଚନା ଦେଇଛନ୍ତି ।